କୁଡୁମୀ ବର୍ଗର ନେତ୍ରୀଙ୍କ ନାଁରେ କହି ବିଜେଡି ନିଜ କର୍ମୀଙ୍କୁ ଅସମ୍ମାନ କରିଛି: ଭାଜପା

ଭୁବନେଶ୍ୱର, ୧୦।୮(ସୁନିତ୍‌ ମିଶ୍ର): ଜଣେ କୁଡୁମୀ ସମାଜ ଓ ପଛୁଆ ବର୍ଗର ନେତ୍ରୀଙ୍କୁ ସାମାନ୍ୟ ଗଛର ଡାଳ ସହ ତୁଳନାକରି ସମଗ୍ର କୁଡୁମୀ ସମାଜ, ମୟୂରଭଞ୍ଜବାସୀ ତଥା ସମସ୍ତ ବିଜେଡି କର୍ମୀଙ୍କୁ ଅସମ୍ମାନ କରାଯାଇଛି ା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ସଂତୃପ୍ତ ମିଶ୍ରଙ୍କ ବକ୍ତବ୍ୟରୁ ତାହା ସ୍ପଷ୍ଟ ହୋଇଛି ବୋଲି ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି। ସୁରଥ ଅଭିଯୋଗ କରିଛନ୍ତି, ମୁଖିଆଙ୍କ ଜିଲାର ଡାଳ, ପତ୍ର ସବୁ ଯାଇଥିବାବେଳେ କେବଳ ଥୁଣ୍ଟା ଗଛଟିଏ ବିଷୟରେ ସଂତୃପ୍ତ ମିଶ୍ର କ’ଣ କହିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନବାବୁ ‘ସଂତୃପ୍ତ ମିଶ୍ର’ ନାମରେ ଯେଉଁ ମଞ୍ଜି କଟକରେ ଲଗାଇଥିଲେ ତାହା ତ ମୂଳରୁ ଗଜା ହେଲା ନାହିଁ, ଗଛ ଓ ଡାଳ ଆସିବ କେଉଁଠୁ। ଆମ ଦେଶ ଓ ରାଜ୍ୟକୁ ବାଂଲାଦେଶ ସହ ତୁଳନାକରି ନୂଆ ନେତା ସାଜିଥିବା ସଂତୃପ୍ତ ମିଶ୍ର ନିଜର ଅପରିପକ୍ୱତାର ପରିଚୟ ଦେଇଛନ୍ତି। ଜନନେତା, ପ୍ରତିଷ୍ଠାତା ସଦସ୍ୟ ଯେଉଁଠି ଅଲୋଡ଼ା ସେଇଠି ନୂଆ ନେତାଗିରି କରୁଥିବା ଏକ କମ୍ପାନୀର ପୂର୍ବତନ ଅଧିକାରୀ ଦଳର ଗଣତନ୍ତ୍ର କଥା କହୁଛନ୍ତି। ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କ ଛବି ଗାଏବ କରି ଗୁମାସ୍ତାର ଛବି ଯୋଡ଼ିଥିବା ବିଜେଡିର ନେତାମାନେ ‘ବରପୁତ୍ରଙ୍କ ସମ୍ମାନ’ କଥା କହିବା ହାସ୍ୟାସ୍ପଦ। ବାସ୍ତବରେ ବିଜେଡି ଶାସନରେ ବିଜୁବାବୁଙ୍କୁ ସବୁଠୁ ଅଧିକ ଅପମାନ କରିଛି। ଜଣେ ପ୍ରଶାସକରୁ ନେତା ହୋଇ ରାଜ୍ୟ ସାରା କୋଟି କୋଟି ଟଙ୍କା ଅପବ୍ୟୟକରି ହେଲିକପ୍ଟରରେ ବୁଲି ନେତାଙ୍କୁ ତଳେ ଠିଆକରି ଟ୍ରାଫିକ୍‌ ପୋଲିସ ଦାୟିତ୍ୱ ଦେଲେ ଏହା କିଭଳି ସମ୍ମାନ। ଦଳକୁ ପୁନରୁଦ୍ଧାର କରନ୍ତୁ ମନା ନାହିଁ, ପ୍ରଭାବଶାଳୀ କ୍ଷମତା କେନ୍ଦ୍ର ବିଷୟରେ କ’ଣ କହୁଛନ୍ତି, ତାହା ଜାଣିରଖିବା ଉଚିତ ବୋଲି ସୁରଥ କହିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱ ଜନଜାତି ଦିବସ ପାଳନ ଅବସରରେ ଯୋଗଦେଇ ବିଜେଡିରୁ କଟକ ଲୋକ ସଭା ପ୍ରାର୍ଥୀ ହୋଇଥିବା ସଂତୃପ୍ତ ମିଶ୍ର ପରୋକ୍ଷରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତଙ୍କୁ ଟାର୍ଗେଟ କରିଥିଲେ ବୋଲି ଭାଜପା ଅଭିଯୋଗ ମଧ୍ୟ କରିଛି।

Share