ବିଜେଡି ଏମ୍‌ପି ଏବେ ପ୍ରାଣ ବିକଳରେ କଂଗ୍ରେସ ଡଙ୍ଗାରେ: ଭାଜପା

ଭୁବନେଶ୍ୱର, ୩।୭(ସୁନିତ୍‌ ମିଶ୍ର): ବିଜେଡି ରାଜ୍ୟ ସଭା ସଦସ୍ୟା ସୁଲତା ଦେଓଙ୍କ ମୁହଁରେ କଂଗ୍ରେସର ସ୍ବର ପ୍ରତିଧ୍ୱନିତ ହୋଇଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି। ଏକ ବିଜ୍ଞପ୍ତି ଜରିଆରେ ସେ କହିଛନ୍ତି, ଲୋକ ସଭାରେ ବଂଶ ବୁଡ଼ିବା ପରେ ଏବେ ଦିଲ୍ଲୀରେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସଭାରେ ବିଜେଡି ଏମ୍‌ପିମାନେ ପ୍ରାଣ ବିକଳରେ କଂଗ୍ରେସ ଡଙ୍ଗାରେ ଚଢ଼ିଯାଇଛନ୍ତି। ହେଲେ କଂଗ୍ରେସ ଡଙ୍ଗାର ନାବିକ ରାହୁଲ ଗାନ୍ଧୀ, ଯାହାଙ୍କ କମ୍ପାସ ନ ଥିବା କାରଣରୁ ତାଙ୍କ ଦଳ ମଧ୍ୟ ବର୍ତ୍ତମାନ ଦିଗହରା ବୋଲି ଦିଲୀପ କହିଛନ୍ତି। ଓଡ଼ିଶାର ଲୋକଙ୍କୁ ବିଜେଡି କେବଳ ରାଜ୍ୟରେ ୨୪ ବର୍ଷ ହେଲା ଧୋକ୍କା ଦେଇନାହିଁ, ବରଂ ଦିଲ୍ଲୀ ଦରବାରରେ ରାଜ୍ୟର ସ୍ବାର୍ଥ କଥା ଉଠାଇବାରେ ମଧ୍ୟ ବିଫଳ ହୋଇଛି। ବିଜେଡି ଓଡ଼ିଶାରେ ନିଜର ରାଜନୈତିକ ପ୍ରାସଙ୍ଗିକତା ହରାଇବସିଲାଣି ବୋଲି ଦିଲୀପ କହିଛନ୍ତି। ସେ ଆହୁରି କହିଛନ୍ତି, ବିଜେଡି ସରକାର ସମୟରେ ପ୍ରତିବର୍ଷ ପୁଞ୍ଜା ପୁଞ୍ଜା ପ୍ରଶ୍ନପତ୍ର ଲିକ୍‌ ଘଟଣା ସାମ୍ନାକୁ ଆସିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜେ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱରେ ଥିଲେ। ତାଙ୍କ ବିଭାଗ ଅଧୀନରେ ଥିବା ଓପିଏସ୍‌ସି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହେବା ସହ ‘ଜବ୍‌ ଫର୍‌ ସ୍କାମ୍‌’ ର଼୍ୟାକେଟ୍‌ କଥା ସାମ୍ନାକୁ ଆସିଥିଲା। ବିଜେଡି ସରକାର ସମୟରେ ଚାଲିଥିବା ‘ଜବ୍‌ ଫର୍‌ ସ୍କାମ୍‌’ ର଼୍ୟାକେଟ୍‌ ପାଇଁ ଅନେକ ଲକ୍ଷ ଓଡ଼ିଆ ଯୁବତୀଯୁବକ ସେମାନଙ୍କ ନ୍ୟାଯ୍ୟ ଅଧିକାର ହରାଇଥିଲେ। କିନ୍ତୁ ଏ ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା କୌଣସି ପ୍ରତିକ୍ରିୟା ବି ପ୍ରକାଶ କରି ନ ଥିଲେ। ସେହିଭଳି ପ୍ରତିବର୍ଷ ମାଟ୍ରିକ୍‌ଠାରୁ ଆରମ୍ଭକରି +୨ ଓ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ ଘଟଣା ସାମ୍ନାକୁ ଆସିଥିଲା। ସେତେବେଳେ ରାଜ୍ୟ ସଭା ସଦସ୍ୟା ସୁଲତା ଦେଓ କେଉଁଠି ଥିଲେ ବୋଲି ଦିଲୀପ ପ୍ରଶ୍ନ କରିଛନ୍ତି।