Categories: ଜାତୀୟ

ମତୁଆ ସମ୍ପ୍ରଦାୟଙ୍କ ୭୦ ବିଧାନସଭା ଆସନ ହାତେଇବା ଲକ୍ଷ୍ୟରେ ଭାଜପା-ତୃଣମୂଳ

କୋଲକାତା,୨।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଜୋର୍‌ଦାର ଉଦ୍ୟମ କରାଯାଉଛି। ଭାଜପା ପକ୍ଷରୁ ରାଜ୍ୟର ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ମତୁଆ ସମ୍ପ୍ରଦାୟ ଭୋଟରଙ୍କ ସଂଖ୍ୟା ୩ କୋଟିରୁ ଅଧିକ। ରାଜ୍ୟର ୭୦ଟି ବିଧାନସଭା ଆସନର ଫଳାଫଳ ଏହି ସମ୍ପ୍ରଦାୟର ଭୋଟରଙ୍କ ଉପରେ ନିର୍ଭର କରିଥାଏ। ଦେଶ ବିଭାଜନଠାରୁ ଏହି ସମ୍ପ୍ରଦାୟ ନାଗରିକତା ସମସ୍ୟା ଯୋଗୁ ଅସୁବିଧାରେ ପଡ଼ିଥିଲେ। ପରେ ସେମାନଙ୍କୁ ଭୋଟଦାନ ଅଧିକାର ମିଳିଥିଲା। ତେବେ ନାଗରିକତା ସମସ୍ୟା ପିଛା ଛାଡ଼ି ନ ଥିଲା। ୨୦୧୯ ଳୋକ ସଭା ନିର୍ବାଚନରେ ଭାଜପା ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ଆରମ୍ଭ ମତୁଆ ସମ୍ପ୍ରଦାୟର ପ୍ରମୁଖ ତଥା ଠାକୁର ପରିବାରର ମୁଖ୍ୟ ବୀଣାପାଣି ଦେବୀ ବୋରୋ ମା’ଙ୍କର ଆଶୀର୍ବାଦ ନେଇ କରିଥିଲେ। ଏହାର ଫଳ ସ୍ବରୂପ ଭାଜପା ରାଜ୍ୟରେ ।୮ ଲୋକ ସଭା ଆସନରେ ବିିଜୟୀ ହୋଇଥିଲା। ଇତିମଧ୍ୟରେ ଭାଜପା ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାଯୋଗୁ ମତୁଆ ସମ୍ପ୍ରଦାୟଙ୍କ ନାଗରିକତ୍ୱ ସମସ୍ୟାର ସମାଧାନ ସହଜରେ ହୋଇ ପାରିବ। ଫଳରେ ମତୁଆ ସମ୍ପ୍ରଦାୟ ସହିତ ଭାଜପାର ସମ୍ପର୍କ ଧୀରେଧୀରେ ବଢ଼ିବାରେ ଲାଗିଛି। ଭାଜପାର ବରିଷ୍ଠ ସଦସ୍ୟ ମତୁଆ ସମ୍ପ୍ରଦାୟଙ୍କ ଘରେ ଭୋଜନ କରି ରାଜନୈତିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବାର ଉଦ୍ୟମ ମଧ୍ୟ କରୁଛନ୍ତି। ପୂର୍ବରୁ ମତୁଆ ସମ୍ପ୍ରଦାୟଙ୍କ ସମର୍ଥନ ବାମଦଳଙ୍କୁ ମିଳିଥିଲା। ଏହାପରେ ତୃଣମୂଳ କଂଗ୍ରେସ ଏହି ସମ୍ପ୍ରଦାୟର ଭୋଟରଙ୍କୁ ହାତେଇବାରେ ସଫଳ ହୋଇଥିଲା। ଏବେ ଭାଜପା ମତୁଆ ଭୋଟ ବ୍ୟାଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି। କିନ୍ତୁ ମତୁଆ ସମ୍ପ୍ରଦାୟଙ୍କ ଭୋଟ ବ୍ୟାଙ୍କ ଭାଗ ଭାଗ ହେବାର ଅନୁମାନ କରାଯାଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭୋଟ ବ୍ୟାଙ୍କ ମୁଖ୍ୟତଃ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ବାଣ୍ଟିହେବ ବୋଲି ଚର୍ଚ୍ଚା ହେଉଛି।

Share