Categories: ଜାତୀୟ

ମୋଦିଙ୍କ ଗ୍ରାଣ୍ଡ ଓ୍ବେଲକମ ପାଇଁ ଭାଜପାର ପ୍ରସ୍ତୁତି

ନୂଆଦିଲ୍ଲୀ,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଓ ମିଶ୍ର(ଇଜିପ୍ଟ)ର ରାଜକୀୟ ଗସ୍ତ ପରେ ରବିବାର ୨୫ ଜୁନକୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମୋଦିଙ୍କ ବିମାନ ରାତି ପ୍ରାୟ ୧୨ଟା ୩୦ରେ ପାଲମ ଏୟାରପୋର୍ଟରେ ପହଞ୍ଚିବ। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ବଡ ଧରଣର ପ୍ରସ୍ତୁତି କରିଛି। ଦିଲ୍ଲୀର ସମସ୍ତ ଏମପି ମୋଦିଙ୍କୁ ସ୍ବାଗତ କରିବାକୁ ବିମାନ ବନ୍ଦରରେ ଉପସ୍ଥିତ ରହିବେ। ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାତି ପ୍ରାୟ ୧୧ଟା ୪୫ରେ ଏୟାରପୋର୍ଟରେ ପହଞ୍ଚିଯିବେ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ୨୦ଜୁନରେ ଆମେରିକା ରାଜକୀୟ ଗସ୍ତରେ ଯାଇଥିଲେ। ସେଠାରେ, ସେ ପ୍ରଥମେ ୨୧ଜୁନରେ ନ୍ୟୁୟର୍କର ମିଳିତ ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ ପାଳନ କରିଥିଲେ। ଅଗ୍ରଣୀ କମ୍ପାନୀର ସିଇଓମାନଙ୍କ ସହ ମଧ୍ୟ ସେ ଏକ ବୈଠକ କରିଥିଲେ। ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ବୈଠକ ମଧ୍ୟ ହୋଇଥିଲା।
ଆମେରିକା ଗସ୍ତ ପରେ ମୋଦି ଦୁଇ ଦିନିଆ ଗସ୍ତରେ ଶନିବାର (ଜୁନ ୨୪)ରେ ପ୍ରଧାନମନ୍ତ୍ରୀ ଇଜିପ୍ଟର କାଇରୋରେ ପହଞ୍ଚିଥିଲେ। ଇଜିପ୍ଟର ରାଷ୍ଟ୍ରପତି ଏଲ-ସିସିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଇଜିପ୍ଟ ଗସ୍ତରେ ଯାଇଥିଲେ। ଗତ ୨୬ ବର୍ଷ ମଧ୍ୟରେ ଇଜିପ୍ଟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ଥିଲା। ଏହି ସମୟରେ ସେ ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କକୁ ଆଗକୁ ବଢାଇବା ପାଇଁ ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ-ସିସିଙ୍କ ସମେତ ଇଜିପ୍ଟର ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ।

Share