ଓଡ଼ିଶାରେ ଭାଜପା ୮୦ ବିଧାନସଭା ଆସନରେ ଜିତିବ: ବିଜୟ ପାଲ୍‌ ସିଂ

ଭୁବନେଶ୍ୱର,୧୨।୨(ସୁନିତ୍‌ ମିଶ୍ର):ଓଡ଼ିଶାରେ ଭାଜପା ଏଥର ନିଶ୍ଚିତ ସରକାର ଗଠନ କରିବ। ଏନେଇ ଭାଜପା ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୋମବାର ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଭୁବନେଶ୍ୱର ଆସିଥିବା ବିଜୟ ପାଲ ସିଂ ତୋମାର କହିଛନ୍ତି ଯେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ। ଏଥର ୮୦ରୁ ଅଧିକ ବିଧାୟକ ଜିତିକି ଆସିବେ ଏବଂ ଲୋକ ସଭାରେ ୧୬ରୁ ଅଧିକ ଏମ୍‌ପି ଭାଜପାରୁ ଜିତିବେ। ସେହିପରି ସହ ପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ଜଗନ୍ନାଥଙ୍କ ଭୂମିରେ ଏଥର ଭାଜପାର ହିଁ ସରକାର ହେବ। ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହିଳାଙ୍କ ବହୁତ ବିକାଶମୂଳକ କାର୍ଯ୍ୟ ହୋଇଛି। ମହିଳାମାନେ ଆମ ସହିତ ଅଛନ୍ତି। ଓଡ଼ିଶାରେ ମଧ୍ୟ ଭାଜପା ସରକାର ଆଣିବାରେ ମହିଳାମାନଙ୍କ ସବୁଠୁ ବଡ଼ ଅବଦାନ ରହିବ। ରାମ ମନ୍ଦିର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବ। ଆମେ ଏଠି ଏକାକୀ ସରକାର ଗଢ଼ିବାରେ ସମର୍ଥ ହେବୁ ବୋଲି ଲତା ଉସେଣ୍ଡି କହିଛନ୍ତି। ଉଭୟ ନେତା ରବିବାର ରାଜ୍ୟ କାର୍ଯ୍ୟାଳୟରେ ଶୀର୍ଷ ନେତୃତ୍ୱଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିବା ସହ ସୋମବାର ପଦାଧିକାରୀ ବୈଠକରେ ଯୋଗଦେବେ।