Categories: ଜାତୀୟ

ପ୍ରଶ୍ନ ଘେରରେ କେନ୍ଦ୍ର ମନ୍ତ୍ରୀଙ୍କ ନାଗରିକତା

ନୂଆଦିଲ୍ଲୀ,୧୮।୭: ମୌସମୀ ଅଧିବେଶନ ପୂର୍ବରୁ ରାଜ୍ୟ ଗୃହ ମନ୍ତ୍ରୀ ନିଶିତ ପ୍ରାମାଣିକଙ୍କ ଜନ୍ମ ସ୍ଥାନ ଓ ନାଗରିକତା ଉପରେ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ଆସାମର କଂଗ୍ରେସ ଏମ୍‌ପି ରିପୁନ ବୋରା।

ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୩୫ ବର୍ଷୀୟ ପ୍ରାମାଣିକଙ୍କ ନାଗରିକତା ଉପରେ ତୃଣମୂଳ କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଛି। ରାଜ୍ୟ ସଭା ଏମ୍‌ପି ବୋର୍ଡ ଠିକ୍‌ ପ୍ରଶ୍ନ ଉଠାଇଥିବା ଟୁଇଟ୍‌ କରିଛନ୍ତି ପଶ୍ଚିମ ବଙ୍ଗ ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବାସୁ। କେନ୍ଦ୍ର ମନ୍ତ୍ରୀ ପ୍ରାମାଣିକ ଜଣେ ବାଂଲାଦେଶ ନାଗରିକ ହୋଇଥିବା ଜାଣିବା ପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ରାଜ୍ୟର ଆଉ ଜଣେ ମନ୍ତ୍ରୀ ଇନ୍ଦ୍ରନୀଲ ସେନ।

ତେବେ ଏ ସମ୍ପର୍କରେ ଭାଜପା ପ୍ରବକ୍ତା ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, କେବଳ ଆଙ୍ଗୁଠି ଉଠାଇ ଦେଲେ ହେବ ନାହିଁ। ପ୍ରମାଣ ମଧ୍ୟ କରିବାକୁ ପଡ଼ିବ। ପଶ୍ଚିମବଙ୍ଗ ଏମ୍‌ପିଙ୍କ ନାଗରିକତା ବିରୋଧରେ ଏପର୍ଯ୍ୟନ୍ତ କେହି କୌଣସି ପ୍ରକାର ପ୍ରମାଣ ଦେଇ ନାହାନ୍ତି।

ତେବେ ଏକ ଫେସବୁକ ପୋଷ୍ଟ ଯୋଗୁ ପଶ୍ଚିମବଙ୍ଗ ଏମ୍‌ପିଙ୍କ ନାଗରିକତା ପ୍ରଶ୍ନ ଘେରକୁ ଆସିଛି। ଉକ୍ତ ପୋଷ୍ଟରେ ରାଜ୍ୟ ଗୃହ ମନ୍ତ୍ରୀଙ୍କ ପାଇଁ ଲେଖା ହୋଇଥିଲା, ବାଂଲାଦେଶର ଗାଇବନ୍ଧୁ ଜିଲାର ପାଲାଶବାରି ଥାନା ଅନ୍ତର୍ଗତ ହରିନାଥପୁରର ସଫଳ ପୁତ୍ର। ବାଂଲାଦେଶର ଧାର୍ମିକ ସଂଗଠନ ‘ପୁଜାର ମେଲା’ ପକ୍ଷରୁ ଏହି ପୋଷ୍ଟ ଶେୟାର କରାଯାଇଥିଲା।

Share