ଭାଜପାର ତ୍ରିରଙ୍ଗାଯାତ୍ରା: ୧୨୦୦ ମିଟର ପତାକା ଧରି ଚାଲିଲେ କାର୍ଯ୍ୟକର୍ତ୍ତା

ଭୁବନେଶ୍ବର, ୧୨ା୮(ବ୍ୟୁରୋ): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି । ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏହାକୁ ନେଇ ଶୁକ୍ରବାର ଭୁବନେଶ୍ୱର ସାଙ୍ଗଠନିକ ଜିଲା ତରଫରୁ ବିରାଟ ତ୍ରିରଙ୍ଗାଯାତ୍ରା ଅନୁଷ୍ଠିତ ହୋଇଛି ।

ଜିଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ୧୨୦୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ପତାକା ଯାତ୍ରା ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକଠାରେ ଶେଷ ହୋଇଛି । ସମୀର ମହାନ୍ତିଙ୍କ ସମେତ ହଜାର ହଜାର ସଂଖ୍ୟାର କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ତ୍ରିରଙ୍ଗା ପତାକା ହାତରେ ଧରି ଏହି ଯାତ୍ରାରେ ସାମିଲ ହୋଇଥିବା ଦେଖାଯାଇଛି। ସ୍ବାଧୀନତା ସଂଗ୍ରାମରୁ ଶକ୍ତି ଏବଂ ସ୍ବାଧୀନତା ସେନାନୀଙ୍କ ବିଚାରକୁ ପାଥେୟକରି ଅମୃତ କାଳଖଣ୍ଡରେ ଭାରତବର୍ଷକୁ ଆତ୍ମନିର୍ଭର, ବିଶ୍ୱର ଶ୍ରେଷ୍ଠ ଦେଶ ଏବଂ ବିଶ୍ୱଗୁରୁ ଭାବେ ଗଢ଼ି ତୋଳିବା ପାଇଁ ଯୁବପିଢ଼ିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସମୀର କହିଛନ୍ତି।

Share