Categories: ଜାତୀୟ

ନିର୍ବାଚନରେ କୁକି ଉଗ୍ରପନ୍ଥୀଙ୍କ ସହାୟତା ଚାହିଁଥିଲା ଭାଜପା

ନୂଆଦିଲ୍ଲୀ, ୧୪ା୬: ମଣିପୁର ନିର୍ବାଚନ ବେଳେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମେତ ଭାଜପା ନେତାମାନେ କୁକି ଉଗ୍ରପନ୍ଥୀଙ୍କ ସହାୟତା ଚାହିଁଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ମଙ୍ଗଳବାର କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇଛି। ଉକ୍ତ ଅଭିଯୋଗ ଉପରେ ତଦନ୍ତ ଚାଲିଥିବାରୁ ବିଶ୍ୱ ଶର୍ମାଙ୍କର ମୁଖ୍ୟମନ୍ତ୍ରୀ ପଦରେ ରହିବାର ଅଧିକାର ନାହିଁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି। ବିଶ୍ୱ ଶର୍ମା ଏବଂ ଭାଜପାର ପୂର୍ବତନ ସାଧାରଣ ସମ୍ପାଦକ ରାମ ମାଧବ କୁକି ଉଗ୍ରପନ୍ଥୀଙ୍କ ସହଯୋଗ ଲୋଡ଼ିଥିବା ଖବର ସତ୍ୟ କି ଏବଂ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଅନୁମୋଦନ କରିଥିଲେ କି ବୋଲି ସୁର୍ଜଓ୍ବୋଲା ପ୍ରଶ୍ନ କରିଛନ୍ତି। ଯଦି ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଏହା ଜାଣିଥିଲେ, ସେମାନେ ଏହାକୁ କିପରି ମଞ୍ଜୁରୀ ଦେଇଥିଲେ? ଯଦି ନୁହେଁ, ତେବେ ସେମାନେ କିପରି ସମ୍ପୂର୍ଣ୍ଣ ଅନ୍ଧକାରରେ ରହିଥିଲେ ବୋଲି କଂଗ୍ରେସ ନେତା ପ୍ରଶ୍ନ ଉଠାଇଛନ୍ତି। ଏହା ଜାତୀୟ ସ୍ବାର୍ଥ ସହ ସାଲିସ୍‌ ନୁହେଁ କି? ମୋଦି ସରକାରଙ୍କ ପାଇଁ ଦେଶର ସ୍ବାର୍ଥଠାରୁ ନିର୍ବାଚନ ଜିତିବା ଅଧିକ ଗୁରୁତ୍ୱପୂର୍ଣ୍ଣ କି ବୋଲି ସୁର୍ଜଓ୍ବୋଲା ଟୁଇଟ୍‌ କରିଛନ୍ତି। ବିଶ୍ୱ ଶର୍ମା ଏବଂ ରାମ ମାଧବଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, କଂଗ୍ରେସ ନେତା ଜାଣିବାକୁ ଚାହିଁଛନ୍ତି। ଉଗ୍ରପନ୍ଥୀଙ୍କ ସହଯୋଗ ଚାହିଁଥିବା ନେତାଙ୍କ ବିରୋଧରେ ଏନ୍‌ଆଇଏ ମାମଲା ରୁଜୁ କରି ତଦନ୍ତ କରୁ ଓ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସୁର୍ଜଓ୍ବୋଲା କହିଛନ୍ତି।

Share