ରାଜ୍ୟ ସଭାପତିଙ୍କ ଗସ୍ତ ପୂର୍ବରୁ ଭାଜପାକୁ ଶକ୍ତ ଧକ୍କା

ଭଞ୍ଜନଗର,୧୯।୧୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ଦଳକୁ ଅଧିକ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏପରିକି ନେତାମାନେ ଦଳବଦଳ ଆରମ୍ଭ କରିଦେଇଛନ୍ତି । ମଙ୍ଗଳବାର ଭଞ୍ଜନଗର ଜେଲ୍‌ ପଡ଼ିଆରେ ଭାଜପାର ମିଶ୍ରଣପର୍ବ ଆୟୋଜନ ହେବ। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଭଞ୍ଜନଗର ବ୍ଲକ କଂଗ୍ରେସର ଜଣେ ପୂର୍ବତନ ସଭାପତି ଭାଜପାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା ନେତା ରାମହରି ପାତ୍ର ରବିବାର ଦଳ ଛାଡ଼ି ବିଜେଡ଼ିରେ ମିଶିଛନ୍ତି । ଏହା ଭାଜପାକୁ ଶକ୍ତ ଧକ୍କା ଲାଗିଛି ।

ରାମହରି ଭଞ୍ଜନଗର ବ୍ଲକ କୁଲାଡ଼ ପଞ୍ଚାୟତରୁ ଏକାଧିକ ଥର ସରପଞ୍ଚ ନିର୍ବାଚିତ ହୋଇଥିଲେ। ସେ ଜଣେ ସୁସଙ୍ଗଠକ ମଧ୍ୟ ଥିଲେ। ରାମହରିଙ୍କ ସମେତ କୁଲାଡ଼ର ଅନ୍ୟତମ ଟାଣୁଆ ଭାଜପା ନେତା ଦେବୀ ପ୍ରସାଦ ସାହୁ ଓ ରାମଚନ୍ଦ୍ର ପାଢ଼ୀ ବିଜେଡ଼ିରେ ମିଶିଛନ୍ତି । ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳା ପରିସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସେମାନଙ୍କୁ ସ୍ବାଗତ କରିଥିଲେ । ଆଗାମୀ ଦିନରେ ପୁରୁଣା, ନୂଆ ନେତା ଏବଂ କର୍ମୀଙ୍କୁ ନେଇ ଦଳକୁ ଆଗକୁ ନେବା ବୋଲି ମନ୍ତ୍ରୀ ଆରୁଖ କହିଥିଲେ। ଅନ୍ୟପକ୍ଷରେ ଭାଜପା ଘୁମୁସର ସାଙ୍ଗଠନିକ ଜିଲା ଉପସଭାପତି ସନ୍ତୋଷ ତିଆଡ଼ି କହିଛନ୍ତି, ରାମହରି ତାଙ୍କ ବ୍ୟକ୍ତିଗତ କାରଣ ଯୋଗୁ ଦଳ ଛାଡ଼ିଛନ୍ତି।

 

Share