Categories: ଜାତୀୟ

‘ୟୁପିରେ ଭାଜପା ୨୦୧୨ ସ୍ଥିତିକୁ ଖସିବ’

ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶରେ ଭାଜପାର ଅବସ୍ଥା ୨୦୧୨ ନିର୍ବାଚନ ଭଳି ହେବ। ସେଥର ଭାଜପାକୁ ମାତ୍ର ୪୭ ଆସନ ମିଳିଥିଲା। ସେହିଭଳି ଏଥର ମଧ୍ୟ ଭାଜପା ୫୦ ଆସନ ମଧ୍ୟରେ ସୀମିତ ରହିବ। କାରଣ ଏବେ ରାଜ୍ୟରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ମେଣ୍ଟ ସପକ୍ଷରେ ଲହର ଚାଲିଥିବା କହିଛନ୍ତି ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ।

ସେ ଗତ ମାସରେ ଭାଜପା ଛାଡ଼ି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ। ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ରୁ ପୂର୍ବତନ ମନ୍ତ୍ରୀଙ୍କ ସହ ଦୁଇ ବିଧାୟକ ମଧ୍ୟ ଚାଲି ଯାଇଥିଲେ। ଏଥିଯୋଗୁ ଅଖିଳେଶଙ୍କ ନେତୃତ୍ୱାଧୀନ ବିରୋଧୀ ମେଣ୍ଟକୁ ଓବିସି ସମୁଦାୟଙ୍କ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି।

“ଭାଜପା ତା’ର ୨୦୧୨ ସ୍ଥିତିକୁ ଫେରିଯିବ। ଏସ୍‌ପି ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର କରିବ। ମାର୍ଚ୍ଚ ୧୦ (ଭୋଟ ଗଣନା ଦିନ) ପରେ ଭାଜପା ଜାଣିବାକୁ ପାଇବ ଯେ, ସେମାନଙ୍କୁ ଓବିସି ସମୁଦାୟଙ୍କ ସମର୍ଥନ ମିଳିଛି କି ନାହିଁ” ମୌର୍ଯ୍ୟା ସାକ୍ଷାତ୍‌କାରରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୨ ନିର୍ବାଚନରେ ୪୭ ଆସନ ଜିତିଥିବା ଭାଜପା ୨୦୧୭ରେ ୩୧୨ ବିଧାୟକଙ୍କ ସହ ସରକାର ଗଢ଼ିଥିଲା।

Share