ଅନୁଚ୍ଛେଦ ୩୭୦ ନାମରେ ସ୍ପୋର୍ଟସ୍‌ ଲିଗ୍‌ ଆରମ୍ଭ କରିବ ଭାଜପା…

ଗାନ୍ଧୀନଗର,୩୦।୧୧: ଭାଜପା  ଅନୁଚ୍ଛେଦ ୩୭୦ ନାମ ଅନୁସାରେ ଏକ ସ୍ପୋର୍ଟସ୍‌ ଲିଗ୍‌ ଆରମ୍ଭ କରିବାକୁ ଯାଉଛି। ଗୁଜରାଟର ଗାନ୍ଧୀନଗରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏହି ଲିଗ ଆୟୋଜିତ ହେବ ଏବଂ ଏଥିରେ କ୍ରିକେଟ ଏବଂ କବାଡି ଭଳି ମ୍ୟାଚ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।

ଯୁବକମାନଙ୍କୁ ଦଳ ପ୍ରତି ଆକର୍ଷିତ କରିବା ପାଇଁ ଏହି ନୂତନ ଲିଗ ଗଠନ କରାଯିବ। ଖବର ଅନୁଯାୟୀ, ଏହି ଲିଗର ସମ୍ପୂର୍ଣ୍ଣ ନାମ ଗାନ୍ଧୀନଗର ଲୋକସଭା ପ୍ରିମିୟର ଲିଗ ୩୭୦ (ଜିଏଲ୍‌ ପିଏଲ୍‌-୩୭୦) ରଖାଯିବ। ଏହା ମାଧ୍ୟମରେ ଅଧିକରୁ ଅଧିକ ଯୁବକଙ୍କୁ ଦଳ ସହ ଯୋଡିବା ଭାଜପାର ଲକ୍ଷ୍ୟ। ଅହମ୍ମଦାବାଦ ସହରର ଭାଜପା ୟୁନିଟ୍‌ର ମହାସଚିବ ଜିତୁଭାଇ ପଟେଲଙ୍କ ଅନୁଯାୟୀ, ଏହି ଲିଗ ଅନୁଚ୍ଛେଦ ୩୭୦ ନାମରେ ନାମିତ ହୋଇଛି।

ଡିସେମ୍ବର ମଧ୍ୟଭାଗରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାର ଯୋଜନା ରହିଛି। ଲିଗରେ କ୍ରିକେଟ ଏବଂ କବାଡି ପାଇଁ ପ୍ରତ୍ୟେକ ୱାର୍ଡରୁ ଦୁଇଟି ଦଳ ଅର୍ଥାତ୍‌ ଗୋଟିଏ କ୍ରିକେଟ ଏବଂ ଗୋଟିଏ କବାଡି ଦଳ ସାମିଲ କରିବାକୁ ଭାଜପା ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।

ସାତୋଟି ବିଧାନସଭା ଆସନ ଭେଜଲପୁର, ଘାଟୋଡିଆ, ନରଣପୁରା, ସାବରମତି, କଲୋଲ, ଗାନ୍ଧୀନଗର (ଉତ୍ତର) ଏବଂ ସାନନ୍ଦରୁ ଖେଳାଳିଙ୍କୁ ଏଥିରେ ସାମିଲ କରାଯିବ। ବର୍ତ୍ତମାନ, ଏହି ଲିଗ କେବଳ ପୁରୁଷମାନଙ୍କ ପାଇଁ ସ୍ଥିର ହୋଇଛି। ଏଥିରେ କ୍ରିକେଟ ମ୍ୟାଚ ଟେନିସ ବଲରେ ଖେଳାଯିବ। ହ୍ବାଟସ ଆପ ଗ୍ରୁପ ଏହାର ବିଜ୍ଞାପନ ପାଇଁ ବ୍ୟବହୃତ ହେବ।

ଗୁଜୁରାଟ କ୍ରିକେଟ ଆସୋସିଏଶନ ସହିତ ଅମିତ ଶାହାଙ୍କ ପୁରୁଣା ସମ୍ପର୍କ ରହିଛି। ଶାହା ୨୦୦୭ ଠାରୁ ଗୁଜୁରାଟ କ୍ରିକେଟ ଆସୋସିଏଶନ (ଜିସିଏ) ସହିତ ଜଡିତ ଅଛନ୍ତି। ରାଜ୍ୟ କ୍ରୀଡ଼ା ଫେଡେରେଶନରେ କଂଗ୍ରେସ ନେତାଙ୍କ ୧୬ ବର୍ଷର ପ୍ରାଧାନ୍ୟକୁ ସମାପ୍ତ କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଯେତେବେଳେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ଶାହା ଜିସିଏର ଉପାଧ୍ୟକ୍ଷଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପୁଅ ଜୟ ଶାହା ବର୍ତ୍ତମାନ ବିସିସିଆଇର ସଚିବ ଅଛନ୍ତି।

Share