Categories: ଜାତୀୟ

ଏକାଠି ହେଲେ ଭାଜପା ହାରିବ

ନୂଆଦିଲ୍ଲୀ,୨୩ା୧୨: ପାର୍ଲାମେଣ୍ଟର ଶୀତ ଅଧିବେଶନ କାଳରେ ଉଭୟ ଗୃହରୁ ୧୪୬ ଜଣ ଏମ୍‌ପିଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ବିରୋଧୀ ଇଣ୍ଡିଆ ବ୍ଲକ୍‌ର ନେତାମାନେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ସେମାନେ ପ୍ରତିଜ୍ଞା ନେବା ସହ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବା ପାଇଁ ଆହ୍ବାନ ଦେଇଛନ୍ତି। ଶାସକ ଦଳ ବିରୋଧୀମାନଙ୍କ ସ୍ବରକୁ ଚାପିଦେଇଥିବା ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ଦଳର ନେତା ରାହୁଲ ଗାନ୍ଧୀ, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ସାମିଲ ହୋଇଥିଲେ। ବର୍ତ୍ତମାନର ସରକାରରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ଆମକୁ ଏକାଠି ହେବାକୁ ପଡ଼ିବ ବୋଲି ଖାର୍ଗେ କହିଥିଲେ। ସମସ୍ତେ ଏକାଠି ହେଲେ ମୋଦି ସରକାର କିଛି କରିପାରିବ ନାହିଁ ବୋଲି ସେ କହିଥିଲେ। ଏମ୍‌ପିମାନଙ୍କୁ ନିଲମ୍ବନ କରି ସରକାର ବିରୋଧୀଙ୍କ ମୁହଁ ବନ୍ଦ କରିଦେବାକୁ ଉଦ୍ୟମ କରୁଛନ୍ତି। ତେବେ ଗଣତନ୍ତ୍ରର ସୁରକ୍ଷା ପାଇଁ ଯେକୌଣସି ମୂଲ୍ୟ ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଥିଲେ।
ଦେଶରେ ଚାଷୀ ଆତ୍ମହତ୍ୟା କରୁଛି, କଳକାରଖାନାର ଶ୍ରମିକ ସେମାନଙ୍କ ପରିଶ୍ରମ ପାଇଁ ଉପଯୁକ୍ତ ବେତନ ନ ପାଇ ଅସନ୍ତୁଷ୍ଟ ରହିଛି। ଆମକୁ ଦାୟିତ୍ୱ ନେବାକୁ ହେବ, କଠିନ ପରିଶ୍ରମ କରି ସମ୍ବିଧାନ ଉପରେ ଆକ୍ରମଣ କରୁଥିବା ଗଣତନ୍ତ୍ର ବିରୋଧୀ ଶକ୍ତିକୁ ପରାଜିତ କରିବାକୁ ହେବ ବୋଲି ପାଓ୍ବାର କହିଥିଲେ। ସମ୍ବିଧାନ ଜନସାଧାରଣଙ୍କୁ ସାର୍ବଭୌମ କ୍ଷମତା ଦେଇଛନ୍ତି, ଯାହା ଜନପ୍ରତିନିଧିମାନଙ୍କ ଜରିଆରେ କାର୍ଯ୍ୟକାରୀ ହୋଇଥାଏ। ପାର୍ଲାମେଣ୍ଟ ନିକଟରେ ସରକାର ଉତ୍ତରଦାୟୀ ଏବଂ ଏମ୍‌ପିମାନେ ଲୋକଙ୍କ ନିକଟରେ ଉତ୍ତରଦାୟୀ, ଯାହା ଗଣତନ୍ତ୍ରର ସଂଜ୍ଞା ବୋଲି ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଥିଲେ। ତୃଣମୂଳ କଂଗ୍ରେସ ଏମ୍‌ପି ମୌସମ ନୁର୍‌ ‘ଭାଜପାମୁକ୍ତ ଭାରତ’ ଗଠନ ପାଇଁ ଆହ୍ବାନ ଦେଇଥିଲେ। ସରକାର ପାର୍ଲାମେଣ୍ଟକୁ ଅଚଳ କରିଦେବାକୁ ଉଦ୍ୟମ କରୁଥିବା ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା କହିଥିଲେ। ଯେକୌଣସି ପ୍ରକାରେ ବିରୋଧୀଙ୍କୁ ଦମନ କରି ସେମାନେ ପାର୍ଲାମେଣ୍ଟକୁ ଅଚଳ କରିଦେଲେ। ପାର୍ଲାମେଣ୍ଟ ଅଚଳ ହେଲେ ଗଣତନ୍ତ୍ର ମରିଯିବ। ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ସରକାରଙ୍କ କାର୍ଯ୍ୟ ଫାସିଷ୍ଟ ଏକଚ୍ଛତ୍ରବାଦ ବୋଲି ବିକ୍ଷୋଭରେ ଯୋଗଦେଇ ରାଜା କହିଥିଲେ।

Share