ଆଇନ ଅମାନ୍ୟ ଆନ୍ଦୋଳନ କରିବ ଭାଜପା

ଭୁବନେଶ୍ୱର, ୧।୧୨ (ବନ୍ଦନା ସେଠୀ):ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ ଡମ୍ଫିଂୟାର୍ଡକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଦାବିରେ ଭାଜପା ପକ୍ଷରୁ ଜାରି ରହିଥିବା ସତ୍ୟାଗ୍ରହ ଗୁରୁବାର ୩ୟ ଦିନରେ ପହଞ୍ଚତ୍ଛି। ସହରରେ ଆବର୍ଜନା ଗଦା ହେଉଥିବାବେଳେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ମାତ୍ର ଆବର୍ଜନା ପରିଚାଳନା ନେଇ ବିଏମ୍‌ସି ନିଦାବିଷ୍ଣୁ ପାଲଟିଛି। ତେଣୁ ବିଜେଡି ବିଧାୟକମାନେ ଓ ମେୟର ନୈତିକତା ଦୃଷ୍ଟିରୁ ରାଜଧାନୀବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଗାକ୍ରାନ୍ତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଦାବି କରାଯାଇଛି। ଡମ୍ଫିଂୟାର୍ଡର ସ୍ଥାୟୀ ସମାଧାନ ନ ହେଲେ ସତ୍ୟାଗ୍ରହ ଜାରି ରହିବା ସହ ଆଗାମୀ ଦିନରେ ଭାଜପା ଭୁବନେଶ୍ୱର ସାଂଗଠନିକ ଜିଲା ପକ୍ଷରୁ ଆଇନ ଅମାନ୍ୟ ଓ ଜେଲଭରୋ ଅନ୍ଦୋଳନ କରାଯିବ ବୋଲି ଜିଲା ସଭାପତି ବାବୁ ସିଂ ଚେତାବନୀ ଦେଇଛନ୍ତି। ଏପରିକି ଦାୟିତ୍ୱ ତୁଲାଇ ନ ପାରିଲେ ମେୟର ତାଙ୍କ ପଦ ଛାଡନ୍ତୁ ବୋଲି ଭାଜପା ପକ୍ଷରୁ ଦାବି କରାଯାଇଛି। ସ୍ବଚ୍ଛତା ନାମରେ କୋଟିକୋଟି ଟଙ୍କା ଦୁର୍ନୀତି କରାଯାଉଛି। ତେଣୁ ଲୋକଙ୍କ ସ୍ବାର୍ଥ ପାଇଁ ଏହି ଆନ୍ଦୋଳନ ଚାଲିଛି ଓ ଆଗକୁ ଚାଲିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।

Share