ଭୁବନେଶ୍ୱର, ୧୮।୭(ସୁନିତ୍ ମିଶ୍ର): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୧୯ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେବ। ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେବା କାର୍ଯ୍ୟକ୍ରମ ଥିବା ମଙ୍ଗଳବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଥିଲେ। ସେହି କ୍ରମରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଭାଜପା ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି ବୁଧବାର ଓ଼ଡିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଭାଜପା ଦୀର୍ଘଦିନ ଶାସନ କରିବା ଲାଗି ରଣନୀତି ପ୍ରସ୍ତୁତ କରାଯାଇଛି। କେବଳ ୫ ବର୍ଷ ନୁହେଁ, ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଭାଜପା ରାଜ୍ୟରେ ଶାସନ କରିବ। ଏହା ଏକ ବହୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଯାହା ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶା ଲୋକଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି। ଯାହା ପ୍ରତିଶ୍ରୁତି ଦଳ ପକ୍ଷରୁ ଦିଆଯାଇଥିଲା ତାକୁ ପୂରଣ କରିବା ଲାଗି ଏବଂ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବୁ। ସାଙ୍ଗଠନିକ ସ୍ତରରେ କାମ କରିବା ହେଉଛି ଏକ ଦୈନିକ କାର୍ଯ୍ୟକ୍ରମ। ସବୁବେଳେ ଏକାଠି ଲୋକଙ୍କ ପାଇଁ କାମ ଜାରି ରଖିବେ। କେବଳ ୫ ବର୍ଷ ନୁହେଁ ୨୫ ବର୍ଷ ପାଇଁ ଦଳ କାମ ଆରମ୍ଭ କରିସାରିଛି ବୋଲି ଉସେଣ୍ଡି କହିଛନ୍ତି।