Categories: ଜାତୀୟ

‘୩୫୦ ଆସନ ଜିତିବ ଭାଜପା’

ଲକ୍ଷ୍ନୌ,୨୦।୯: ରାଜ୍ୟବାସୀ, ସଂଗଠନ ଓ ସରକାରଙ୍କ ମିଳିତ ଉଦ୍ୟମ ଜାତୀୟ ସ୍ତରରେ ୟୁପି ପ୍ରତି ଲୋକଙ୍କ ଚିନ୍ତାଧାରରେ ପରିବର୍ତ୍ତନ ଆଣିଛି। ଆମ ସରକାରଙ୍କ ଉପରେ ଲୋକଙ୍କ ଭରସା ବୃଦ୍ଧି ପାଇଛି। ଏହି ବିଶ୍ୱାସ ସୁନିଶ୍ଚିତ କରୁଛି ଯେ, ୨୦୨୨ ବିଧାନସଭା ନିର୍ବାଚନରେ ଭାଜପା ୩୫୦ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ। ଚଳିତ ଭାଜପା ଶାସନର ସାଢ଼େ ୪ ବର୍ଷ ପୂରଣ ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏଭଳି ଆତ୍ମବିଶ୍ୱାସ ସହ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

”ପୂର୍ବରୁ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ବାଙ୍ଗଲୋ ନିର୍ମାଣ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କିନ୍ତୁ ନୂଆ ଭାରତର ନୂଆ ଉତ୍ତରପ୍ରଦେଶ ୪୨ ଲକ୍ଷ ଗରିବ ଲୋକଙ୍କ ପାଇଁ ପକ୍କା ଘର ନିର୍ମାଣ କରିଛି। ୨୦୧୭ ପୂର୍ବରୁ ଏହି ରାଜ୍ୟରେ ଅପରାଧୀ ଓ ମାଫିଆମାନେ ଭୟର ବାତାବରଣ ସୃଷ୍ଟି କରୁଥିଲେ। ଦୁଇ ତିନି ଦିନକୁ ଥରେ ସାମ୍ପ୍ରଦାୟିକ ଦଙ୍ଗା ହେଉଥିଲା। ମାତ୍ର ଏବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି“ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗାମୀ ବର୍ଷ ଫେବୃୟାରୀରେ ୟୁପିରେ ବିଧାନସଭା ନିର୍ବାଚନ ହେବାର ଅଛି। ୨୦୧୭ ନିର୍ବାଚନରେ ମୋଟ ୪୦୩ ଆସନରେ ଭାଜପାର ୩୨୫ ବିଧାୟକ ଜିତିଥିଲେ। ସମାଜବାଦୀ ପାର୍ଟି (ସପା)କୁ ୫୪, ବହୁଜନ ସମାନବାଦୀ ପାର୍ଟି (ବିଏସ୍‌ପି)କୁ ୧୯ ଆସନ ମିଳିଥିଲା।

Share