Categories: ଜାତୀୟ

‘ୟୁପିରେ ସଂଖ୍ୟାଗରିଷ୍ଠତା ସହ ଭାଜପା ସରକାରକୁ ଫେରିବ’

ମୁମ୍ବାଇ,୪।୧୨: ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଭାଜପା ଉତ୍ତର ପ୍ରଦେଶ ସରକାରକୁ ଫେରିବ। ହିନ୍ଦୁସ୍ତାନ ଟାଇମ୍ସ ଲିଡରଶିପ୍‌ ବୈଠକ (ଏଚ୍‌ଟିଏଲଏସ୍‌)ରେ ଏଭଳି ଦୃଢ଼ୋକ୍ତି ରଖିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏଥିସହ ନିର୍ବାଚନ ଲାଗି ଛୋଟ ଛୋଟ ରାଜନୈତିକ ଦଳ ସହ ମେଣ୍ଟ କରୁଥିବା ସମାଜବାଦୀ ପାର୍ଟି (ସପା) ଭାଜପା ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ୌଯଉଁ ଆକଳନ କରିଛନ୍ତି, ତାହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

“ରାଜନୀତି ଫିଜିକ୍ସ ନୁହେଁ, ଏହା କେମେଷ୍ଟ୍ରୀ। ଭୋଟରମାନେ ଏବେ ସଚେତନ। ସେମାନେ ଆଉ ଜାତି ଭିତ୍ତିକ ସମୀକରଣ ଦ୍ୱାରା ପ୍ରଭାବିତ ହେବେ ନାହିଁ। ମୁଁ ବିସ୍ତୃତ ଭାବେ ରାଜ୍ୟ ଭ୍ରମଣ କରିଛି। ଭାଜପା ସଂଖ୍ୟାଗରିଷ୍ଠତା ସହ ସରକାରକୁ ଫେରିବ ବୋଲି ମୁଁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ କହିପାରିବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ବିବାଦୀୟ କୃଷି ଆଇନକୁ ହଟାଇ ସାରିଥିବାରୁ ଚାଷୀ ଆନ୍ଦୋଳନ ନିର୍ବାଚନକୁ ପ୍ରଭାବିତ କରିପାରିବ ନାହିଁ” ବୋଲି ଏଚ୍‌ଟି ମିଡିଆ ଲିମିଟେଡ୍‌ର ଚେୟାରମ୍ୟାନ ତଥା ଏଡିଟୋରିଆଲ ଡିରେକ୍ଟର ଶୋଭନା ଭାର୍ତିଆଙ୍କୁ କହିଛନ୍ତି।

ଆଗାମୀ ବର୍ଷ ଫେବୃୟାରୀରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଉତ୍ତର ପ୍ରଦେଶ ଭାଜପା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ।

Share