ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାର ସମସ୍ତ ୮ ଆସନରେ ଭାଜପା ବିଜୟୀ ହୋଇଛି। ଗତ ବର୍ଷ ଅକ୍ଟୋବରରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ମାଡ଼ିଯାଇ ୪ ଚାଷୀଙ୍କ ଜୀବନ ଯାଇଥିଲା। ଏପରିକି ପରବର୍ତ୍ତୀ ହିଂସାରେ ଅନ୍ୟ ୪ ଜଣ ପ୍ରାଣ ହରାଇଥିଲେ। ଏହାକୁ ନେଇ ଦେଶରେ ତୁମ୍ବିତୋଫାନ ହୋଇଥିଲା। ମନ୍ତ୍ରୀଙ୍କ ପୁଅ ଗାଡ଼ି ମଡ଼ାଇ ଲୋକଙ୍କୁ ହତ୍ୟା କରିଥିବା ବେଳେ ଭାଜପା ସରକାର ଏହାକୁ ଘଣ୍ଟ ଘୋଡ଼ାଉଥିବା ବିରୋଧୀ ଅଭିଯୋଗ କରିଥିଲେ। ଏହାର ପ୍ରଭାବ ବିଧାନସଭା ନିର୍ବାଚନ ଉପରେ ପଡ଼ିବ ବୋଲି ଅଧିକାଂଶ ବିଶ୍ୱାସ କରୁଥିଲେ। ତେବେ ଏହି ଜିଲାରେ ଫଳାଫଳ ସମ୍ପୂର୍ଣ୍ଣ ଭାଜପା ସପକ୍ଷରେ ଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଜିଲାର ପାଲିଆ, ନିଘାସନ, ଗୋଲା ଗୋକରନାଥ, ଶ୍ରୀନଗର, ଧୌରାହର, ଲଖିମପୁର, କାସ୍ତା ଏବଂ ମହମ୍ମଦି ଆସନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି।