ମୁମ୍ବାଇ,୧୭।୧୦: ମୁମ୍ବାଇର ଅନ୍ଧେରୀ ଇଷ୍ଟ ବିଧାନସଭା ଆସନରେ ନଭେମ୍ବର ୩ରେ ଉପନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ଶିବସେନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବଡ଼ ସଫଳତା ହେବା ନେଇ ନଜର ଆସୁଛି। କାରଣ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଭାଜପା ତା’ର ପ୍ରାର୍ଥୀ ପ୍ରତ୍ୟାହାର କରିନେଇଛି। ଫଳରେ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀର ପ୍ରାର୍ଥୀ ଋତୁଜା ଲାଟ୍କେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି। ଭାଜପା ଉପନିର୍ବାଚନ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି। ନାମାଙ୍କନପତ୍ର ଦାଖଲ କରିଥିବା ଭାଜପା ପ୍ରାର୍ଥୀ ମୁର୍ଜୀ ପଟେଲ ଓହରିଯିବେ ବୋଲି ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରଶେଖର ବଓ୍ବାଙ୍କୁଲେ ସୋମବାର କହିଛନ୍ତି। ଉପନିର୍ବାଚନରୁ ଓହରିଯିବା ଲାଗି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ୍ ଠାକ୍ରେ ରବିବାର ଭାଜପାକୁ ଅନୁରୋଧ କରିଥିଲେ। ସେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ଙ୍କୁ ପତ୍ର ଲେଖି ରାଜ୍ୟର ପରମ୍ପରା ଅନୁଯାୟୀ ଦିବଂଗତ ବିଧାୟକଙ୍କ ସ୍ତ୍ରୀଙ୍କୁ ନିର୍ବାଚନ ଜିତିବା ଲାଗି ଛାଡ଼ିଦେବା ଉଚିତ ବୋଲି କହିଥିଲେ।