Categories: ଜାତୀୟ

ପୋଲିସ ଗୁଳିରେ ଭାଜପା କର୍ମୀଙ୍କ ମୃତ୍ୟୁ

ସିଲିଗୁଡ଼ି, ୮।୧୨: ପଶ୍ଚିମବଙ୍ଗର ସୋମବାର ଅପରାହ୍ନରେ ପୋଲିସ ସହ ସଂଘର୍ଷରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସିଲିଗୁଡ଼ିରେ ଉତ୍ତେଜନା ଦେଖାଦେଇଛି। ସିଲିଗୁଡିସ୍ଥିତ ଶାଖା ସଚିବାଳୟ କମ୍ପ୍ଲେକ୍ସ ବାହାରେ ତୃଣମୂଳ କଂଗ୍ରେସ ସରକାରଙ୍କ କୁଶାସନ ବିରୋଧରେ ଭାଜପା କର୍ମୀମାନେ ଆନ୍ଦୋଳନ ଚଳାଇଥିବାବେଳେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଗୁଳିରେ ୫୦ ବର୍ଷୀୟ କର୍ମୀ ଉଲେନ ରାୟଙ୍କର ମୃତ୍ୟୁ ହୋଇଥିବା ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ କହିଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ଉତ୍ତର ବଙ୍ଗଳାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ପୋଲିସ ଗୁଳି ଚଳାଇ ନ ଥିଲା ବୋଲି କହିଛି। ପୋଲିସ ପକ୍ଷରୁ କରାଯାଇଥିବା ବ୍ୟାରିକେଡକୁ ବିକ୍ଷୋଭକାରୀମାନେ ଟାୟାର ଜାଳି ପୋଡ଼ିଦେଇଥିଲେ। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ପ୍ରଥମେ ପାଣି ମାଡ଼ ଓ ପରେ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀମାନେ ପୋଡ଼ାଜଳା ଓ ପଥର ମାଡ଼ କରିବା ସହ ଗୁଳି ଚଳାଇଥିଲେ ବୋଲି ପୋଲିସ କହିଛି। ବରିଷ୍ଠ ଭାଜପା ନେତାମାନେ କୋଲକାତାରେ ରାଜ୍ୟପାଳ ଜଗଦୀପ୍‌ ଧନଖରଙ୍କୁ ଭେଟି ଉକ୍ତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

Share