Categories: ଜାତୀୟ

ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟୁଛନ୍ତି ଭାଜପା କର୍ମୀ!

ଚେନ୍ନାଇ,୮।୪: ଲୋକ ସଭା ନିର୍ବାଚନର ପ୍ରଚାର ଚାଲିଥିବାବେଳେ ତାମିଲନାଡ଼ୁର ଜଣେ ଭାଜପା କର୍ମୀଙ୍କ ନିକଟରୁ ନଗଦ ୩.୯୮ କୋଟି ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ତିରୁନେଲ୍‌ଭେଲି ଅଭିମୁଖେ ଯାତ୍ରା କରୁଥିବା ଏକ ଏକ୍ସପ୍ରେସ ଟ୍ରେନ୍‌ରେ ୩ ଜଣ ବ୍ୟକ୍ତି ୬ଟି ବ୍ୟାଗ ଧରି ଯାଉଥିଲେ। ସନ୍ଦେହ ହେବାରୁ ପୋଲିସ ସେମାନଙ୍କୁ ପଚରାଉଚରା କରିବା ସହ ଗିରଫ କରିଥିଲା। ଗିରଫ ୩ ଜଣଙ୍କ ମଧ୍ୟରୁ ସତୀଶ ନାମକ ଜଣେ ଭାଜପା କର୍ମୀ ଥିବା ଜଣାପଡ଼ିଛି। ସେ ତିରୁନେଲ୍‌ଭେଲି ଆସନରୁ ଭାଜପା ପ୍ରାର୍ଥୀ ନୈନର ନଗେନ୍ଦ୍ରନ୍‌ଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ନିର୍ବାଚନରେ ଭାଜପା ପ୍ରାର୍ଥୀ ନଗେନ୍ଦ୍ରନ୍‌ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରିଛି ରାଜ୍ୟରେ ଶାସନରେ ଥିବା ଡିଏମ୍‌କେ। ଏହାସହ ନଗେନ୍ଦ୍ରନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତାମିଲନାଡ଼ୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଡିଏମ୍‌କେ ଫେରାଦ ହୋଇଛି।

Share