ରାଉରକେଲା ଅଫିସ,୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଥିବାରୁ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଡ. ଉଦିତରାଜଙ୍କୁ ବିରୋଧ ବଢିବାରେ ଲାଗିଛି। ଅଣସଙ୍ଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ପକ୍ଷରୁ ରାଜ୍ୟସ୍ତରୀୟ କନ୍ଭେନଶନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଡ. ଉଦିତରାଜ ରବିବାର ରାଉରକେଲା ଗସ୍ତରେ ଆସିଥିବା ବେଳେ ଭାଜପା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା। ଭାଜପା କର୍ମୀମାନେ ସେକ୍ଟର-୨୦ ରିଂରୋଡ୍ ଛକରେ ଉଦିତରାଜଙ୍କ ଗାଡ଼ିକୁ ଅଣ୍ଡାମାଡ କରିବା ସହ କଳାପତାକା ଦେଖାଇଥିଲେ।
ଏପରିକି କନ୍ଭେନଶନ କାର୍ଯ୍ୟକ୍ରମ ହେବାକୁ ଥିବା ଏକ ହୋଟେଲ ସମ୍ମୁଖରେ ଶତାଧିକ ଭାଜପା କର୍ମୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଉଦିତରାଜଙ୍କ କୁଶପୁତ୍ତଳିକା ଦାହ କରିବା ସହ ତାଙ୍କ ଗସ୍ତ ବାତିଲ ଦାବି କରିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ପ୍ଲାଣ୍ଟସାଇଟ୍ ପୋଲିସ ଭାଜପା କର୍ମୀଙ୍କୁ ଗିରଫ କରିଥିଲା। ପୋଲିସ ସନ୍ଧ୍ୟାରେ ଗିରଫ ଭାଜପା କର୍ମୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଛି।