Categories: ଜାତୀୟ

କର୍ନାଟକରେ ଭାଜପା ଯୁବନେତାଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୮।୭: କର୍ନାଟକର ଦକ୍ଷିଣ କନ୍ନଡ ଜିଲାରେ ଭାଜପା ଯୁବମୋର୍ଚ୍ଚା କର୍ମୀ ପ୍ରବୀଣ ନେତ୍ତାରୁଙ୍କୁ ହତ୍ୟା କରାଯାଇଛି। ପ୍ରବୀଣ ମଙ୍ଗଳବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଦୁଇଜଣ ବାଇକ୍‌ରେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଜିଲାରେ ପ୍ରବଳ ଉତ୍ତେଜନା ଦେଖାଦେବା ସହ କର୍ନାଟକର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରତିବାଦରେ ଭାଜପାର ବହୁ ଯୁବ ସଦସ୍ୟ ଇସ୍ତଫା ଦେଇଛନ୍ତି। ଭାଜପା ନେତୃତ୍ୱାଧୀନ ସରକାର ରାଜ୍ୟରେ ନିଜ ଦଳୀୟ କର୍ମୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ବିକ୍ଷୋଭକାରୀମାନେ ଭାଜପା ରାଜ୍ୟ ସଭାପତି ନଳିନ କୁମାର କାଟିଲ୍‌ଙ୍କ କାର୍‌କୁ ଘେରିଯାଇ ପାଟିତୁଣ୍ଡ କରୁଥିବା ଭିଡିଓ ଭାଇରାଲ ହୋଇଛି।

ଆକ୍ରମଣକାରୀଙ୍କୁ ଧରିବା ଲାଗି ୬ଟି ପୋଲିସ ଟିମ୍‌ ଗଠନ କରାଯାଇଛି। ୩ଟି ଟିମ୍‌କୁ କେରଳ, ମଡିକେରି ଏବଂ ହାସନ ପଠାଯାଇଛି। ପୋଲିସ ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେପଟେ ବେଲାରେ, ସୁଲିଆ ଆଦି ଅଞ୍ଚଳରେ ବିକ୍ଷୋଭ ଜୋର୍‌ଦାର ହୋଇଛି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପ୍ରବୀଣଙ୍କ ହତ୍ୟା ପଛରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ଏବଂ ଡେମୋକ୍ରାଟିକ୍‌ ପାର୍ଟି ଅଫ୍‌ ଇଣ୍ଡିଆର ହାତ ଥିତ୍ବା ଅଭିଯୋଗ ହୋଇଛି।

Share