ଅପହରଣ ମାମଲାରେ ଜେଲଗଲେ ଭାଜପା ଯୁବମୋର୍ଚ୍ଚା ସଭାପତି

ସମ୍ବଲପୁର,୨୧ା୨(ବ୍ୟୁରୋ): ସମ୍ବଲପୁର ଜିଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀ ନିଶିକାନ୍ତ ଦୀକ୍ଷିତଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଭାଜପାର ୭ଜଣ ଗିରଫ ହୋଇ ଜେଲ ଯାଇଛନ୍ତି। ସେମାନେ ହେଲେ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝି, କୁମୁଦ ପ୍ରସାଦ ପ୍ରଧାନ(୨୩), ଅଲେଖ ପଟ୍ଟନାୟକ( ୨୪), ଦେବାଶିଷ ପର୍ଡିିଆ(୨୪), ସଞ୍ଜୟ ଖଡିଆ( ୨୩), ଦିନେଶ କୁମାର ସାହୁ( ୩୩), ସୁଦିପ୍ତ କୁମାର ପରିଡା( ୩୦) । କୁଚିଣ୍ଡା ସବ୍‌ ଡିଭିଜନାଲ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜକୁ ପଠାଇ ଦିଆଯାଇଛି। ଥାନାରେ ଦଫା ୩୦୭, ୩୬୪, ୨୯୪, ୩୪ ଆଇପିସିରେ ଏକ ମାମଲା(୧୯/୨୧) ରୁଜୁ ହୋଇଛି ।
ସୂଚନାଯୋଗ୍ୟ, ବିଜେଡି କର୍ମୀ ନିଶିକାନ୍ତ କାର (ନଂ ଓଡି୦୨ଏଚ୧୫୦୦)ରେ ସମ୍ବଲପୁରରୁ ଖର୍ସନମାଲ ଆସୁଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଏକ ବୋଲେରୋ (ନଂ ଓଡି ୧୫କ୍ୟୁ-୮୭୭୩) ଯୋଗେ ତାଙ୍କୁ ପିଛା କରି ଖର୍ସନମାଲ ଗ୍ରାମ ନିକଟରେ ଅଟକାଇଥିଲେ। ପରେ ସେମାନେ ନିଶିକାନ୍ତଙ୍କୁ ବୋଲେରୋରେ ଅପହରଣ କରି ନେଇଥିଲେ। ଏହାପରେ କୁଲୁଣ୍ଡି ଜଙ୍ଗଲ ପଟକୁ ନେଇ ମାରପିଟ କରିବା ସହ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ। ଏହି ସମ୍ପର୍କରେ ଖବର ପାଇ ପୋଲିସ ଟିମ୍‌ ପିଛା କରିଥିଲା। ଅପହରଣକାରୀ ଏହା ଜାଣି ତାଙ୍କୁ ଜଙ୍ଗଲରେ ଛାଡି ଦେଇ ଫେରାର ହୋଇଯାଇଥିଲେ। ପରେ ପୋଲିସ ପହଞ୍ଚତ୍ ନିଶିକାନ୍ତଙ୍କୁ ଉଦ୍ଧାର କରିଥିଲା। ଏ ସମ୍ପର୍କରେ ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ପୋଲିସ ଉଦ୍ଧାର କରିବାକୁ ଟିମ୍‌ ଗଠନ କରିଥିଲା। ପରେ ଜଙ୍ଗଲ ଭିତରୁ ନିଶିକାନ୍ତଙ୍କୁ ଉଦ୍ଧାର କରାଯାଇଥିଲା ବୋଲି କହିଥିଲେ ।

Share