ନୂଆଦିଲ୍ଲୀ,୯।୧୦ : ମିଜୋରାମରେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଦଳ ସମସ୍ତ ୪୦ ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି। ମିଜୋରାମ ଭାଜପା ଅଧ୍ୟକ୍ଷ ଭାନଲାଲମୁଆକା ଏହି ସୂଚନା ଦେଇଛନ୍ତି।
ସେପ୍ଟେମ୍ବରରେ ମିଜୋରାମର ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ର ୧୬ ଜଣ ନେତା ଭାଜପାରେ ଯୋଗ ଦେଇଥିଲେ। ମିଜୋରାମର ଦକ୍ଷିଣ ଅଞ୍ଚଳରେ ଅବସ୍ଥିତ ଚକମା ସ୍ବୟଂଶାସିତ ଜିଲା ପରିଷଦ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଦିନ ପାଳନ ଉତ୍ସବ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏମଏନଏ ଯୁବ ସଭାପତି ମଲିନ କୁମାର ଚକମାଙ୍କ ନେତୃତ୍ୱରେ ମିଜୋ ନ୍ୟାଶନାଲ ଫ୍ରଣ୍ଟ ନେତାମାନେ ଭାଜପାରେ ଯୋଗ ଦେଇଥିଲେ।
୨୦୧୮ରେ ନିର୍ବାଚନରେ ମୋଟ ୪୦ ଟି ସିଟ ମଧ୍ୟରୁ ଏମଏନଏଫ ଦଳ ୨୬ ଟି ସିଟ ଜିତି ବହୁମତ ହାସଲ କରିଥିଲା। କଂଗ୍ରେସ ୨୬ ଟି ସିଟ ହରାଇ କେବଳ ୫ ଟି ସିଟ ଜିତିପାରିଥିଲା। ମିଜୋରାମରେ ଭାଜପା ପ୍ରଥମ ଥର ପାଇଁ ଖାତା ଖୋଲି ଗୋଟିଏ ଆସନ ହାସଲ କରିଥିଲା।