Categories: ଜାତୀୟ

ଭାଜପାର ବୁଲ୍‌ଡୋଜର ଘୃଣା, ଆତଙ୍କ ସୃଷ୍ଟି କରୁଛି: ରାହୁଲ

ନୂଆଦିଲ୍ଲୀ, ୧୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପା ସରକାରଙ୍କୁ ଦେଶରେ ଦରଦାମ୍‌ ବୃଦ୍ଧି ନେଇ ଘେରିବା ଆରମ୍ଭ କରିଛନ୍ତି। ସେ ମଙ୍ଗଳବାର ଟୁଇଟ୍‌ କରି କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଅତ୍ୟଧିକ ଦର ଏବଂ ବେରୋଜଗାରି ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଲୋକଙ୍କ ସମସ୍ୟା ଉପରେ ବୁଲ୍‌ଡୋଜର ଚଳାଇବାର ଆବଶ୍ୟକତା ରହିଛି। ମାତ୍ର ସରକାରଙ୍କ ବୁଲ୍‌ଡୋଜର କେବଳ ଲୋକଙ୍କ ମଧ୍ୟରେ ଘୃଣା ଏବଂ ଆତଙ୍କ ସୃଷ୍ଟି କରୁଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।
ରାମନବମୀରେ ମଧ୍ୟପ୍ରଦେଶ, ଗୁଜରାଟ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ଘଟିଥିବା ହିଂସାକାଣ୍ଡ ପରେ ରାହୁଲ ଏଭଳି କହିଛନ୍ତି। ସରକାର ଏ କ୍ଷେତ୍ରରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନ କରି ନୀରବଦ୍ରଷ୍ଟା ସାଜିଛନ୍ତି। ମଧ୍ୟପ୍ରଦେଶର ଭାଜପା ସରକାର ଖରଗାଓଁ ଜିଲାରେ ଘଟିଥିବା ରାମନବମୀ ହିଂସାକାଣ୍ଡରେ କୌଣସି ପ୍ରତିଷେଧମୂଳକ ନିର୍ଦ୍ଦେଶ ଜାରି କରିବାରେ ପଛଘୁଞ୍ଚା ଦେଉଥିବା ସେ କହିଛନ୍ତି। ଏଠାରେ ବହୁ ଲୋକଙ୍କ ଘରେ ନିଆଁ ଲଗାଇ ଦିଆଯାଇଛି। ଏହା ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ରାଜ୍ୟର ଭାଜପା ସରକାର ଏନେଇ କିଛି ବି କରିନାହାନ୍ତି ବୋଲି ରାହୁଲ କହିଛନ୍ତିି।
ସୂଚନାଯୋଗ୍ୟ, ଏହି ଘଟଣାରେ ୭ ପୋଲିସଙ୍କ ସମେତ ୨୦ ଜଣ ଆହତ ହୋଇଥିଲେ। ସେହିପରି ଗୁଜରାଟରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଝାଡ଼ଖଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିଲା।

Share