ପୁଣି ବିହାର ନିର୍ବାଚନରେ ବାଧକ ସାଜିଲା କରୋନା ଭାଇରସ

ପାଟନା,୨୪ ।୧୦: ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନ୍‌ଡିଏର ଜଣେ ପରେ ଜଣେ ଷ୍ଟାର ପ୍ରଚାରକ କରୋନା ସଂକ୍ରମଣ ହେବା ଚିନ୍ତା ବଢାଇ ଦେଇଛି । ଦୁଇଦିନ ପୂର୍ବରୁ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କରୋନାରେ ପୀଡ଼ିତ ହୋଇଥିବା ଖବର ଆସିଥିଲା । ଶନିବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିହାର ନିର୍ବାଚନ ଦାୟିତ୍ୱ ନେଇଥିବା ଭାରତୀୟ ଜନତା ପାର୍ଟି(ଭାଜପା)ନେତା ଦେବେନ୍ଦ୍ର ଫଡନବିଶ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଈଶ୍ୱର ଚାହୁଁଛନ୍ତି ମୁଁ କିଛି ସମୟ ପାଇଁ ବିରତି ନିଏ ବୋଲି । ଏହାସହ ସେ ଲେଖିଛନ୍ତି ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମଧ୍ୟ କରେନା ଟେଷ୍ଟ କରାଇ ନିଅନ୍ତୁ । ଲକ୍‌ଡାଉନ ପରଠାରୁ ସେ ପ୍ରତିଦିନ କାମ କରୁଥିବା ବେଳେ ଏବେ ସେ କରୋନାରେ ପୀଡ଼ିତ ହେବାର ଅର୍ଥ ହେଉଛି ଇଶ୍ୱର ବୋଧହୁଏ ଚାହିଁଲେ ମୁଁ କିଛି ସମୟ ବିଶ୍ରାମ ନିଏ । ସେଥିପାଇଁ ମୁଁ ଏବେ ଆଇସୋଲେଶନରେ ରହିଛି । ଭାଜପା ପକ୍ଷରୁ ସେ ବିହାର ନିର୍ବାଚନ ଦାୟିତ୍ୱ ନେଇଥିବା ବେଳେ ଏବେ ଫଡନବିସ କରୋନାରେ ସଂକ୍ରମିତ ହେବା ଯୋଗୁ ପ୍ରଚାର କାର୍ଯ୍ୟରେ ବାଧା ଉପୁଜିବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଆସନ୍ତା ୨୮ ତାରିଖରେ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ଏବେ ସେଥିପାଇଁ ପ୍ରଚାର ଯୋରସୋରରେ ଚାଲିଛି ।

Share