Categories: ଜାତୀୟ

ଉପନିର୍ବାଚନରେ ଭାଜପା ହାତ ଖାଲି…

ନୂଆଦିଲ୍ଲୀ, ୧୬।୪ : ଦେଶର ଗୋଟିଏ ଲୋକସଭା ଏବଂ ଚାରୋଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଚାରୋଟି ବିଧାନସଭା ଆସନ ହେଉଛି ପଶ୍ଚିମବଙ୍ଗର ବାଲିଗଞ୍ଜ, ଛତିଶଗଡର ଖୈରାଗଡ, ବିହାରର ବୋଚହାଁ ଏବଂ ମହାରାଷ୍ଟ୍ରର କୋହ୍ଲାପୁର। ଏଥି ସହିତ ଗୋଟିଏ ଲୋକସଭା ଆସନ ହେଉଛି ପଶ୍ଚିମବଙ୍ଗର ଆସାନସୋଲ। ଏପ୍ରିଲ ୧୨ ରେ ଏହି ଆସନଗୁଡିକ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଉପ ନିର୍ବାଚନରେ ଭାଜପା ହାତ ଖାଲି ରହିଛି।

ପଶ୍ଚିମବଙ୍ଗର ବାଲିଗଞ୍ଜ ବିଧାନସଭା ଆସନରୁ ବାବୁଲ ସୁପ୍ରିଓ ପ୍ରାୟ ୨୦ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ ଭାଜପାର ପ୍ରାର୍ଥୀ କେୟା ଘୋଷଙ୍କୁ ପରାଜିତ କରିଛନ୍ତି। ଅପରପକ୍ଷରେ ଶତ୍ରୁଘ୍ନ ସିହ୍ନା ଆସାନସୋଲ ଲୋକସଭା ଆସନରୁ ଭାଜପାର ପ୍ରାର୍ଥୀ ଅଗ୍ନିମିତ୍ର ପାଲଙ୍କୁ ଏକ ଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଛନ୍ତି।

ମହାରାଷ୍ଟ୍ରର ଶାସକ ମହା ବିକାଶ ଆଘାଡି (ଏମଭିଏ)ର ସହଯୋଗୀ କଂଗ୍ରେସ ପ୍ରାର୍ଥୀ ଜୟଶ୍ରୀ ଯାଦବ କୋହ୍ଲାପୁର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପ-ନିର୍ବାଚନରେ ଭାଜପାର ସତ୍ୟଜିତ କଦମଙ୍କୁ ୧୮,୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

କଂଗ୍ରେସ-ଏମଭିଏ ପ୍ରାର୍ଥୀ ଜୟଶ୍ରୀ ଯାଦବଙ୍କୁ ୯୬,୧୭୬ ଭୋଟ ମିଳିଥିବାବେଳେ ଭାଜପାର ସତ୍ୟଜିତ୍‌ କଦମ ୭୭,୪୨୬ ଭୋଟ ପାଇଛନ୍ତି। ଯାଦବ ୧୮,୭୫୦ ଭୋଟ ବ୍ୟବଧାନରେ ଜିତିଛନ୍ତି।
ଆରଜେଡିର ଅମର ପାସୱାନ ବିହାରରେ ବୋଚହାଁ ବିଧାନସଭା ଆସନ ଜିତିଛନ୍ତି। ସେ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱୀ ବେବି କୁମାରୀଙ୍କୁ ୩୬,୬୫୩ ଭୋଟରେ ପରାସ୍ତ କରିଛନ୍ତି।

Share