ଭୁବନେଶ୍ବର,୭।୯(ବ୍ୟୁରୋ): ଭାଜପା ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ତାଙ୍କ ୨ଦିନିଆ ଓଡ଼ିଶା ଗସ୍ତ ଶେଷକରି ଫେରିଯାଇଛନ୍ତି। ତାଙ୍କ ଗସ୍ତ ଶେଷ ପୂର୍ବରୁ ସେ ଦଳର ରାଜ୍ୟ ସଭାପତି, ପଦାଧିକାରୀ, ମୋର୍ଚ୍ଚା ସଭାପତି ଏବଂ ବରିଷ୍ଠ ନେତାମାନଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ। ଦଳ ତୃଣମୂଳସ୍ତରରେ କିପରି ସଶକ୍ତ ହେବ ସେନେଇ ନେତାଙ୍କଠାରୁ ଫିଡ୍ବ୍ୟାକ୍ ନେଇ ସେ ଯାଇଛନ୍ତି। ୨୦୧୯ ନିର୍ବାଚନରେ ଯେଉଁସବୁ ବୁଥ୍କୁ କମ୍ ଭୋଟ୍ ମିଳିଥିଲା ସେଗୁଡିକୁ ଶକ୍ତିଶାଳୀ କରାଯିବ। ପରାଜିତ ହୋଇଥିବା ଲୋକ ସଭା କ୍ଷେତ୍ରରେ ଲୋକସଭା ପ୍ରବାସ ଯୋଜନା ଆରମ୍ଭ ହେବ। କେନ୍ଦ୍ରମନ୍ତ୍ରୀମାନେ ଏହାର ସ୍ଥିତି ଅନୁଧ୍ୟାନ କରିବେ। ସଙ୍ଗଠନ ମଜଭୁତ ସହ ରାଜ୍ୟ ସରକାରଙ୍କ ବିଫଳତା ନେଇ ଜୋର୍ଦାର ଲଢେଇ ହେବ। କେନ୍ଦ୍ର ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।