Categories: ଜାତୀୟ

ଭାରତରେ ରାମରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ: ଗଡ଼କରୀ

ଲକ୍ଷ୍ନୌ,୬।୧: ଭଗବାନ ରାମ ଦେଶର ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଭାରତରେ ରାମ ରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ। ଗୁରୁବାର କୌଶାମ୍ବି ଜିଲାର ଚେଲ ତହସିଲର ସାକଡା ଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।

୨,୬୫୯ କୋଟି ବିନିମୟରେ ନିର୍ମାଣ ହେବାକୁ ଥିବା ୧୬୪ କିଲୋମିଟର ଲମ୍ବା ୬ ରାଜପଥର ଶିଳାନ୍ୟାସ କରିବା ପରେ ଗଡକରୀ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରେ ସେ କହିଛନ୍ତି, ପ୍ରଭୁ ରାମ କେବଳ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ନୁହଁନ୍ତି। ସେ ସମଗ୍ର ଭାରତର ବିଶ୍ୱାସ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଯାହା ବି ହେଉଛି ପ୍ରଭୁ ରାମଙ୍କ ଆଶୀର୍ବାଦରେ ହେଉଛି। ମହାତ୍ମା ଗାନ୍ଧୀ କହିଥିଲେ ଯେ ରାମ ରାଜ୍ୟ ହେଉଛି ଆଦର୍ଶ ସରକାରୀ ବ୍ୟବସ୍ଥା। ଆମକୁ ଜାତିବାଦ ଏବଂ ସାମ୍ପ୍ରଦାୟିକତାକୁ ନଷ୍ଟ କରି ପ୍ରତ୍ୟେକ ବେକାରଙ୍କୁ ରୋଜଗାର ଦେଇ ଭାରତରେ ରାମ ରାଜ୍ୟ ପ୍ରତିଷ୍ଠା କରିବାକୁ ହେବ ବୋଲି ସେ କହିଛନ୍ତି।

Share