ଭବାନୀପାଟଣାରେ ଭାଜପାର ମହାଜନସମ୍ପର୍କ ଅଭିଯାନ: ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ, ବିଜେଡି ଉପରେ ବର୍ଷିଲେ ନଡ୍ଡା

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୂର ଷ୍ଟାଡିୟମଠାରେ ଶୁକ୍ରବାର  ମହାଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଥିଲା।
ପୂର୍ବାହ୍ନରେ ଭାଜପା  ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ହେଲିକପ୍ଟରରେ ପହଞ୍ଚି ପଥମେ ମା’ ମାଣିକେଶ୍ୱରୀଙ୍କ  ଦର୍ଶନ  କରିଥିଲେ। ସେଠାରୁ ସେ ଲାଲ ବାହାଦୂର ଷ୍ଟାଡିୟମ ଠାରେ  ଆୟୋଜିତ  ମହାଜନସମ୍ପର୍କ ଅଭିଯାନରେ ଯୋଗଦେଇଥିଲେ।
ଆୟୋଜିତ  ମହାଜନସମ୍ପର୍କ ଅଭିଯାନରେ   ନଡ୍ଡା   ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଥିଲେ। ବିଜେଡିକୁ କଟାକ୍ଷ କରିବାକୁ ଯାଇସେ କହିଥିଲେ, ରାଜ୍ୟକୁ ଚଳାଉଛି କିଏ ନେତା ନା ଅଧିକାରୀ ? ରାଜ୍ୟରେ ନବୀନ ବାବୁ ସରକାରରେ ଭ୍ରଷ୍ଟାଚାର ଚାଲିଛି । ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଓ ଏଥିରେ ସାମିଲ ଥିବା ଭ୍ରଷ୍ଟା ଚାରୀଙ୍କୁ ଜେଲ ପଠାଯିବ ।
ସମାନଭାବେ କଂଗ୍ରେସ ଉପରେ ମଧ୍ୟ ବର୍ଷିଥିଲେ। କହିଥିଲେ  ମୋଦୀଙ୍କୁ ପ୍ରଶଂସା କଲେ କଂଗ୍ରେସକୁ କଷ୍ଟ ହୁଏ। ଶୁକ୍ରବାର ପାଟନାରେ କଂଗ୍ରେସ ସହ କିଛି ବିରୋଧି ଏକାଠି ହୋଇଛନ୍ତି । ରାହୁଲ ଗାନ୍ଧିଙ୍କ ଜେଜେ ମା’ ଲାଲୁ, ନୀତୀଶଙ୍କୁ ଜେଲରେ ଠୁଙ୍କିଥିଲେ। ଆଜି ସେହିମାନେ ରାହୁଲଙ୍କ ସହ ସେଠାରେ ଏକାଠି ହୋଇଛନ୍ତି ବୋଲି କହିଥିଲେ। ସେହିପରି ଉପସ୍ଥିତ ଜନତାଙ୍କ ଆଗରେ ମୋଦୀ ସରକାରଙ୍କ ୯ ବର୍ଷ ସଫଳତାର ଗୁଣଗାନ କରିଥିଲେ। ଆରମ୍ଭରେ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରିଥିଲେ। ଏହି ସଭାରେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ରାଜ୍ୟ ପ୍ରଭାରୀ ଡି.ପୁରୁନ୍ଦେଶ୍ୱରୀ,ରାଜ୍ୟ ସଭାପତି ମନମୋହନ ସାମଲ, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।