Categories: ଜାତୀୟ

ମଣିପୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ବୀରେନ ସିଂ

ଇମ୍ଫାଲ,୨୧।୩: ମଣିପୁରର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ଏନ ବୀରେନ ସିଂ । ତାଙ୍କୁ ରାଜ୍ୟପାଳ ଏଲ ଗଣେଶନ ଶପଥ ପାଠ କରାଇଥିଲେ। ଏହି ଅବସରରେ ଭାଜପା ସଭାପତି ଜେପି ନଡାଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା ଉପସ୍ଥିତ ଥିଲେ। ଦ୍ୱିତୀୟ ଥର ପାଇଁ ବୀରେନ ସିଂ ମଣିପୁରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବୀରେନ ସିଂଙ୍କ ସହ ନେମଚା କିପଗେନ, ଓ୍ବାଇ. ଖେମଚାନ୍ଦ ସିଂ, ବିଶ୍ୱଜିତ୍‌ ସିଂ, ଆୱାଙ୍ଗବୁ ନୁମାଇ ଏବଂ ଗୋବିନ୍ଦସ କନଥୁଜାମ ଇମ୍ଫାଲରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମଣିପୁରରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ୬୦ ସଦସ୍ୟ ବିଶିଷ୍ଟ ଗୃହରେ ୩୨ଟି ଆସନ ଜିତି କ୍ଷମତାକୁ ଫେରିଛି।
ଏନ ବୀରେନ ସିଂ ଜଣେ ଫୁଟବଲ ଖେଳାଳି ଭାବରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ଏବଂ ପରେ ସୀମା ସୁରକ୍ଷା ବଳରେ ଚାକିରି ପାଇଲେ।ଏହା ପରେ ସେ ସାମ୍ବାଦିକତା ଜଗତରେ ପାଦ ଦେଇ ସ୍ଥାନୀୟ ଭାଷା ଖବରକାଗଜ ‘ନାହାରୋଲଗି ଥୁଡାଙ୍ଗ’ର ସମ୍ପାଦକ ହୋଇଥିଲେ। ସିଂ ଏଠାରେ ଅଟକି ନ ଥିଲେ ଏବଂ ଦୁଇ ଦଶନ୍ଧି ପୂର୍ବରୁ ସେ ରାଜନୈତିକ ମଞ୍ଚକୁ ଡେଇଁଥିଲେ। ସେ ପ୍ରଥମେ ଡେମୋକ୍ରାଟିକ ରିଭୋଲ୍ୟୁସନ ପିପୁଲ୍ସ ପାର୍ଟିର ଟିକେଟ ରେ ୨୦୦୨ ରେ ବିଧାନସଭା ସଦସ୍ୟ ହୋଇଥିଲେ। ଏହାପରେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୦୩ରେ ତତ୍କାଳୀନ ଓକ୍ରାମ ଇବୋବି ସିଂଙ୍କ ନେତୃତ୍ୱାଧୀନ ସରକାରରେ ଭିଜିଲାନ୍ସ ମନ୍ତ୍ରୀ ହୋଇଥିଲେ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ସ୍ବାଧୀନ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ବୀରେନ୍‌ ସିଂ ଭାଜପାର ଯୋଗ ଦେଇଥିଲେ।

Share