Categories: ଜାତୀୟ

ସଂସଦରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବିଧୁରୀଙ୍କୁ ଭାଜପା ଦେଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୭।୯: ସଂସଦ ସ୍ବତନ୍ତ୍ର ଅଧିବେଶନରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀଙ୍କୁ ବୁଧବାର ବଡ଼ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଭାଜପା ପକ୍ଷରୁ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟଙ୍କ ଜିଲା ଟୋଙ୍କର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ବିଧୁରୀ  ଦକ୍ଷିଣ ଦିଲ୍ଲୀ ଆସନର ଲୋକ ସଭା ସଦସ୍ୟ।
ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଥିବାବେଳେ ନିମ୍ନ ସଦନରେ ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ଆଲୋଚନା ଚାଲିଥିବାବେଳେ ଦକ୍ଷିଣ ଦିଲ୍ଲୀ ସଂସଦୀୟ ଆସନର ସଦସ୍ୟ ବିଧୁରୀ ଉତ୍ତର ପ୍ରଦେଶ ଆମରୋହା ଏମ୍‌ପି ଦାନିସଙ୍କୁ ‘ମୁସଲମାନ ଆତଙ୍କବାଦୀ’ ଆଖ୍ୟା ଦେଇଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ବିବାଦୀୟ ସ୍ଥିତି ଉପୁଜିଥିଲା। ବିରୋଧୀ ଦଳଗୁଡ଼ିକ ଏହାର ଦୃଢ଼ନିନ୍ଦା କରିଥିବାବେଳେ ଭାଜପା ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା।

Share