Categories: ଜାତୀୟ

ରାଜ୍ୟ ସଭାରେ ହଠାତ୍‌ ଭୋ-ଭୋ ହୋଇ କାନ୍ଦିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୫।୩: ପାର୍ଲାମେଣ୍ଟର ଉଭୟ ଗୃହରେ ଆଜି ଉତ୍ତେଜନାପୂର୍ଣ୍ଣ ଥିଲା। ଶୁକ୍ରବାର ଭାଜପା ସମେତ ଅଧିକାଂଶ ଦଳ ପଶ୍ଚିମବଙ୍ଗ ବୀରଭୂମ ହିଂସାକୁ ନେଇ ଲୋକ ସଭା ଓ ରାଜ୍ୟ ସଭାରେ ଟିଏମସିକୁ ଜବାବ ମାଗିଥିଲେ। ଭାଜପା ଏମ୍‌ପି ରୂପା ଗାଙ୍ଗୁଲି ମଧ୍ୟ ରାଜ୍ୟ ସଭାରେ ଟିଏମସିକୁ ଟାର୍ଗେଟ କରିଥିଲେ। ଏହି ହିଂସା ବିଷୟରେ କହି ରୂପା ହଠାତ୍‌ କାନ୍ଦିବାକୁ ଲାଗିଥିଲେ। ସେ କହିଛନ୍ତି, ଆମେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଚାହୁଁଛୁ। ସେଠାରେ ବହୁତ ହତ୍ୟାକାଣ୍ଡ ଘଟୁଛି। ଲୋକମାନେ ନିଜ ଘର ଛାଡି ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି। ସେହି ରାଜ୍ୟ ଆଉ ରହିବା ଯୋଗ୍ୟ ନୁହେଁ। ଆମର ବଞ୍ଚିବାର ଅଧିକାର ଅଛି। ପଶ୍ଚିମବଙ୍ଗରେ ଜନ୍ମ ହେବା ଅପରାଧ ନୁହେଁ। ଏହା କହି ସେ କାନ୍ଦିବାକୁ ଲାଗିଥିଲେ। ଗାଙ୍ଗୁଲିଙ୍କ ଏହି ବିବୃତ୍ତି ପରେ ଭାଜପା ଏବଂ ଟିଏମସି ଏମ୍‌ପିମାନେ ପରସ୍ପରକୁ ଟାର୍ଗେଟ କରିଥିଲେ। ଏହି କାରଣରୁ ଗୃହର ପ୍ରକ୍ରିୟା କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା।
ସୂଚନାଯୋଗ୍ୟ, ନିକଟରେ ଟିଏମ୍‌ସି ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଡଜନେରୁ ଅଧିକ ଘର ଜାଳି ଦିଆଯାଇଥିଲା। ଏଥିରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ, ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ (ସଂଶୋଧନ) ବିଲ, ୨୦୨୨ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଲୋକ ସଭାରେ ଉପସ୍ଥାପିତ ହୋଇଛି। ଏହି ସଂଶୋଧନ ମାଧ୍ୟମରେ କେନ୍ଦ୍ର ସରକାର ଦିଲ୍ଲୀର ତିନୋଟି ମ୍ୟୁନିସିପାଲିଟି କର୍ପୋରେସନ ମିଶ୍ରଣ କରି ଗୋଟିଏ କରିବେ।

Share