ଭାଜପାର ‘ସେବା ହିଁ ସଙ୍ଗଠନ’ ଇ-ବୁକ୍‌ ଉନ୍ମୋଚିତ

ଭୁବନେଶ୍ୱର,୧।୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଆହ୍ବାନକ୍ରମେ ଭାଜପା କାର୍ଯ୍ୟକର୍ତ୍ତାମାନେ ଭାରତୀୟ ପରମ୍ପରା ‘ନର ସେବା-ନାରାୟଣ ସେବା’କୁ ସମ୍ମାନ ଜଣାନ୍ତୁ। ଏହି ଲକ୍‌ଡାଉନ ସମୟରେ ସ୍ବେଚ୍ଛାକୃତଭାବେ ସେମାନଙ୍କ ଅଞ୍ଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଃଖୀଜନ ତଥା ଅଭାବୀଙ୍କୁ ଆବଶ୍ୟକ ଖାଦ୍ୟ, ଔଷଧ, ମାସ୍କ ଆଦି ନିତି ଆବଶ୍ୟକ ସାମଗ୍ରୀ ପହଞ୍ଚାଇବାର କାର୍ଯ୍ୟ କରିଛନ୍ତି। ରାଜ୍ୟ ସଭାପତି, ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବରିଷ୍ଠ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟର ସମ୍ପାଦନା କରାଯାଇ ରାଜ୍ୟର ସମସ୍ତ ଜିଲାରେ ଅନୁଷ୍ଠିତ ହୋଇଛି । ଏହି ସମସ୍ତ ସେବା କାର୍ଯ୍ୟକୁ ସମ୍ବଳ କରି ଜିଲା ଅନୁଯାୟୀ ଇ-ବୁକ୍‌ ଉନ୍ମୋଚିତ ହୋଇଛି। ରବିବାର ଘୁମୁସୁର ଜିଲା କାର୍ଯ୍ୟକ୍ରମରେ ପ୍ରଥମ ଇ-ବୁକ୍‌କୁ ରାଜ୍ୟ ସଭାପତି ସମୀର ମହାନ୍ତି ଉନ୍ମୋଚନ କରିଛନ୍ତି। ଏହି ଇ-ବୁକ୍‌ ଯୁଗଯୁଗକୁ ଭବିଷ୍ୟତ ପିଢ଼ିଙ୍କୁ ସେବା ପାଇଁ ପ୍ରେରଣା ଯୋଗାଇବ ବୋଲି ସମୀର କହିଛନ୍ତି । ସେହିପରି କେନ୍ଦ୍ରାପଡ଼ା ଜିଲାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସୁନ୍ଦରଗଡ଼ ଜିଲା କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହି ଇ-ବୁକ୍‌ ଉନ୍ମୋଚନ କରିଛନ୍ତି ।

Share