Categories: ଜାତୀୟ

ଭାଜପାର ୟୁ-ଟର୍ନ : ଶିକ୍ଷକଙ୍କ ଆନ୍ଦୋଳନକୁ କରିଛି ନୂଆ ରାଜନୈତିକ ଅସ୍ତ୍ର…

ପଟନା,୧୩।୬ : ବିହାରରେ କାର୍ଯ୍ୟକାରୀ ହୋଇଥିବା ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ କରୁଥିବା ଶିକ୍ଷକ ସଂଗଠନର ନେତାମାନେ ଭାଜପା ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନାଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି। ଭାଜପାନେତାମାନେ ଶିକ୍ଷକ ସଂଗଠନଗୁଡ଼ିକୁ ଆଶ୍ୱାସନା ଦେଇଛନ୍ତି ଦଳ ସେମାନଙ୍କ ସହିତ ଅଛି। ରାଜ୍ୟ ସଭାପତି ଅଭିଯୋଗ କରିଛନ୍ତି ସରକାର ତରବରିଆ ଭାବେ ଶିକ୍ଷକ ନିଯୁକ୍ତି ନିୟମ ୨୦୨୩ ଆଣିଛନ୍ତି। ଏଗୁଡ଼ିକରେ ଅନେକ ତ୍ରୁଟି ଅଛି। ଶିକ୍ଷକମାନଙ୍କୁ ରାଜ୍ୟ କର୍ମଚାରୀଙ୍କ ମାନ୍ୟତା ଦେବା ପାଇଁ ଜୁଲାଇରେ ଏକ ରାଜଭବନ ପଦଯାତ୍ରା ହେବ। ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା ଚେତାବନୀ ଦେଇଛନ୍ତି ସରକାର ତୁରନ୍ତ ଏହି ନିୟମକୁ ସଂଶୋଧନ କରିବା ଉଚିତ।

ବିଜୟ କୁମାର ସିହ୍ନା କହିଛନ୍ତି ଶିକ୍ଷକଙ୍କ ସାମାଜିକ ସମ୍ମାନ ଏବଂ ପିଲାମାନଙ୍କର ପ୍ରତିଭା ବୃଦ୍ଧି ପାଇଁ ଦକ୍ଷ ଶିକ୍ଷକ ନିଯୁକ୍ତ ହେବା ଉଚିତ। ଏହା ବିହାରରେ ଶିକ୍ଷାର ଗୁଣରେ ଉନ୍ନତି ଆଣିବ । ଶିକ୍ଷକ ନେତା ବିଧାନ ପରିଷଦ ନଓ୍ବଲ କିଶୋର ଯାଦବ କହିଛନ୍ତି ଶିକ୍ଷକଙ୍କ ଦାବିକୁ ସମର୍ଥନ କରି ଭାଜପା ରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ ଲଢ଼େଇ କରିବ। ବିଧାନ ପରିଷଦ ଜୀବନ କୁମାର କହିଛନ୍ତି ସେ ଶିକ୍ଷକଙ୍କ ଜୀବନ ସହ ଖେଳିବାକୁ ଦେବେ ନାହିଁ।

କ୍ଷମତାରୁ ବାହାର ହେବା ପରେ ନିୟୋଜିତ ଶିକ୍ଷକମାନଙ୍କ ବିଷୟରେ ଭାଜପାର ଆଭିମୁଖ୍ୟ ବଦଳି ଯାଇଛି। ବାସ୍ତବରେ ଭାଜପା ଏହି ପ୍ରସଙ୍ଗରେ ୟୁ-ଟର୍ନ ନେଇଛି। ଦଳର ବରିଷ୍ଠ ନେତା ସୁଶୀଲ କୁମାର ମୋଦି ଯେତେବେଳେ ନୀତୀଶ କୁମାରଙ୍କ ସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଥିଲେ ସେତେବେଳେ ନିଯୁକ୍ତ ଶିକ୍ଷକମାନଙ୍କୁ କଡ଼ା ଜବାବ ଦେଇଥିଲେ। ସେ କହିଥିଲେ ନିଯୁକ୍ତ ଶିକ୍ଷକମାନଙ୍କୁ କୌଣସି ମୂଲ୍ୟରେ ପୂର୍ଣ୍ଣ ଦରମା ପ୍ରଦାନ କରାଯାଇପାରିବ ନାହିଁ। ତାଙ୍କୁ ରାଜ୍ୟ କର୍ମୀ ମାନ୍ୟତା ଦିଆଯିବାକୁ ସେ ଆପତ୍ତି କରିଥିଲେ।

ଏପରିକି ସେତେବେଳେ ନୀତୀଶ କୁମାର ନିଯୁକ୍ତ ଶିକ୍ଷକଙ୍କ ଆନ୍ଦୋଳନକୁ ଅଦରକାରୀ ବୋଲି କହିଥିଲେ। ସୁଶୀଲ ମୋଦି ତାଙ୍କୁ ସମର୍ଥନ ମଧ୍ୟ କରିଥିଲେ। ରାଜ୍ୟ ରାଜକୋଷ ଉପରେ ଏହା ବୋଝ ବୋଲି ସେ ଉଲ୍ଲେଖ କରିଥିଲେ। କିନ୍ତୁ ଏବେ ଭାଜପାର ସ୍ବର ବଦଳି ଯାଇଛି। ଦଳ ଏବେ ଶିକ୍ଷକଙ୍କ ଆନ୍ଦୋଳନକୁ ନୂଆ ରାଜନୈତିକ ଅସ୍ତ୍ର କରିଛି ବୋଲି ଚର୍ଚ୍ଚା ହେଉଛି।

Share