Categories: ଜାତୀୟ

ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଲା ଭାଜପା ମେଣ୍ଟ

ଲକ୍ଷ୍ନୌ,୨୩।୧: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭାଜପା ସହ ମେଣ୍ଟ କରିଥିବା ଆପନା ଦଳ ରବିବାର ତା’ର ପ୍ରଥମ ମୁସଲିମ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରାଜ୍ୟର ପଶ୍ଚିମାଞ୍ଚଳର ରାମପୁର ଜିଲାର ସୁଆର ଆସନରୁ ହାଇଦର ଅଲି ଖାନଙ୍କୁ ଟିକେଟ୍‌ ଦିଆଯାଇଛି। ଆଶା କରାଯାଉଛି ଏହି ଆସନରୁ ସମାଜବାଦୀ ପାର୍ଟି ଏମ୍‌ପି ଆଜାମ ଖାନଙ୍କ ପୁଅ ଅବଦୁଲା ଆଜାମ ଲଢ଼ିବେ।

ଭାଜପା ସହ ଆସନ ବୁଝାମଣା ନେଇ କୌଣସି ସ୍ପଷ୍ଟ ଘୋଷଣା ହୋଇ ନ ଥିବା ବେଳେ ଅନୁପ୍ରିୟା ପଟେଲଙ୍କ ଅପନା ଦଳ (ଏସ୍‌)ର ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। କାରଣ ଭାଜପା ମେଣ୍ଟ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବା ଭଳି ଘଟଣା କଦାଚିତ ଦେଖିବାକୁ ମିଳେ।

ହାଇଦର ଅଲି ହେଉଛନ୍ତି ରାମପୁର ରାଜ ପରିବାରର ସଦସ୍ୟ। ତାଙ୍କ ଜେଜେବାପା ଜୁଲଫିକର ଅଲି ଖାନ କଂଗ୍ରେସରୁ ୫ ଥର ଏମ୍‌ପି ଥିଲେ। ହାଇଦରଙ୍କ ବାପା ତଥା ୪ ଥର ବିଧାୟକ ନଓ୍ବାବ କାଜିମ ଅଲି ଖାନ ରାମପୁର ଆସନରୁ କଂଗ୍ରେସରୁ ଲଢ଼ିବାକୁ ଯାଉଛନ୍ତି। ରାମପୁର ଆସନ ନିକଟରେ ରହିଛି ସୁଆର ଆସନ।

ଅବଦୁଲା ଆଜାମ ୨୦୧୭ ବିଧାନସଭା ନିର୍ବାଚନରେ ସୁଆର ଆସନରୁ ସପା ଟିକେଟ୍‌ରେ ବିଜୟୀ ହୋଇଥିଲେ। କିନ୍ତୁ ଅବଦୁଲାଙ୍କ ନିର୍ବାଚନରେ ବିଜୟକୁ ୨୦୧୯ ଡିସେମ୍ବରରେ ଖାରଜ କରି ଦେଇଥିଲେ ଆଲାହାବାଦ ହାଇକୋର୍ଟ। କାରଣ ୨୦୧୭ ନିର୍ବାଚନ ବେଳକୁ ତାଙ୍କୁ ୨୫ ବର୍ଷ ହୋଇ ନ ଥିଲା।

Share