ନୂଆଦିଲ୍ଲୀ,୧୧ା୧(ପି.ଟି.): କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କ ବିକ୍ଷୋଭକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଭାଜପାକୁ ସମାଲୋଚନା କରିଛନ୍ତି। ଗୈରିକ ଦଳର ‘ବ୍ୟବହାର କରି ଫିଙ୍ଗିଦିଅ ଓ ଧୋକା ଦିଅ’ ନୀତି କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କ ସମସ୍ୟାର କାରଣ ବୋଲି ଖାର୍ଗେ କହିଛନ୍ତି। ବଞ୍ଚତ୍ବାର ଅଧିକାର ଓ ସ୍ଥାନାନ୍ତର ଦାବିରେ କଶ୍ମୀରୀ ପଣ୍ଡିତ କର୍ମଚାରୀମାନେ ୨୪୫ରୁ ଊର୍ଦ୍ଧ୍ୱ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କ ବେତନକୁ ମାସ ମାସ ଧରି ସ୍ଥଗିତ ରଖାଯାଇଛି। ଏଥିସହିତ ସେମାନଙ୍କ ସୁରକ୍ଷା ସହ ସାଲିସ୍ କରାଯାଉଛି ବୋଲି ଖାର୍ଗେ ଟୁଇଟ୍ କରିଛନ୍ତି। ଗତବର୍ଷ ମେ’ରେ ଜମ୍ମୁ-କଶ୍ମୀରର ବଡଗାମ୍ ଜିଲା ଅନ୍ତର୍ଗତ ଚାଦୁରାସ୍ଥିତ ତହସିଲ କାର୍ଯ୍ୟାଳୟରେ ରାହୁଲ ଭଟ୍ଟ ନାମକ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ଏହା ବିରୋଧରେ କଶ୍ମୀରୀ ପଣ୍ଡିତ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ କାର୍ଯ୍ୟରେ ଯୋଗଦେବାକୁ ମନା କରିଦେଇଥିଲେ। ଆନ୍ଦୋଳନକାରୀ କର୍ମଚାରୀମାନଙ୍କ ଗୋଟିଏ ଗୋଷ୍ଠୀ ଉପତ୍ୟକା ଛାଡ଼ି ଜମ୍ମୁରେ ବିକ୍ଷୋଭ କରିଥିଲେ। ସୁରକ୍ଷା ସ୍ଥିତିରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଉପତ୍ୟକା ବାହାରେ ରଖାଯିବାକୁ କଶ୍ମୀରୀ ପଣ୍ଡିତ କର୍ମଚାରୀମାନେ ଦାବି କରିଥିଲେ। କାର୍ଯ୍ୟକୁ ଫେରୁ ନ ଥିବା କର୍ମଚାରୀମାନଙ୍କୁ ଦରମା ବନ୍ଦ କରିଦିଆଯାଇଥିଲା।