Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଆଗରେ ବଡ଼ ଦାବି ରଖିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୨୦।୧୧: ବିବାଦୀୟ ୩ ଚାଷୀ ଆଇନକୁ ବାତିଲ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ୪ ବଡ଼ ଦାବି ରଖିଛନ୍ତି ଭାଜପା ଏମ୍‌ପି ବରୁଣ ଗାନ୍ଧୀ।

ଅନଲାଇନରେ ଶେୟାର କରିଥିବା ଚିଠିରେ ବରୁଣ ଲେଖିଛନ୍ତି, ୩ ନୂଆ ଚାଷୀ ଆଇନ ଉଚ୍ଛେଦ ଘୋଷଣା ଲାଗି ଆପଣଙ୍କୁ ଧନ୍ୟବାଦ। ଆନ୍ଦୋଳନରେ ୭୦୦ରୁ ଅଧିକ ଆମ ଚାଷୀ ଭାଇ ଓ ଭଉଣୀ ଶହୀଦ ହୋଇଛନ୍ତି। ସେମାନେ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ। ମୋ ମତରେ ଯଦି ଏହି ନିଷ୍ପତ୍ତି ଆଗରୁ ନିଆଯାଇଥାନ୍ତା, ତେବେ ଅନେକ ନିରୀହ ଜୀବନ ବଞ୍ଚି ପାରିଥାନ୍ତା। ଏଣୁ ଆନ୍ଦୋଳନରେ ପ୍ରାଣ ହରାଇଥିବା ପ୍ରତି ଚାଷୀ ପିଛା ୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ। ଚାଷୀଙ୍କୁ ନିର୍ଯାତନା ଦେବା ପାଇଁ ସେମାନଙ୍କ ବିରୋଧରେ ଅନେକ ମାମଲା ଦାୟାର କରାଯାଇଥିଲା। ସେଗୁଡ଼ିକୁ ତୁରନ୍ତ ପ୍ରତ୍ୟାହ୍ୟାର କରାଯାଉ। କ୍ଷତରୁ ଉତ୍ପାଦିତ ଶଶ୍ୟ ଉପରେ ସୁନିଶ୍ଚିତ ମୂଲ୍ୟ ତଥା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବିନା ଚାଷୀମାନେ ଆନ୍ଦୋଳନରୁ ଉଠିବେ ନାହିଁ। ଏଥିଯୋଗୁ ଚାଷୀଙ୍କୁ ସେମାନଙ୍କ ଫସଲ ପାଇଁ ଆଇନଗତ ଗ୍ୟାରେଣ୍ଟି ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏମ୍‌ଏସ୍‌ପି ନିର୍ଦ୍ଧାରଣ ବେଳେ ସି୨+୫୦ ପ୍ରତିଶତ ଫର୍ମୁଲାର ବ୍ୟବହାର କରାଯିବା ଉଚିତ।

ଏହାବାଦ୍‌ ଲଖିମପୁର ଖେରି ଘଟଣା ଉପରେ ସେ ଲେଖିଛନ୍ତି, ବଡ଼ ପଦବୀରେ ବସିଥିବା ଆମର ଅନେକ ନେତା ଆନ୍ଦୋଳନକାରୀ ଚାଷୀଙ୍କ ବିରୋଧରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେହି ସବୁ ମନ୍ତବ୍ୟ ଆନ୍ଦୋଳନ ବେଳେ ପ୍ରତିକୂଳ ପରିବେଶ ସୃଷ୍ଟି କରିଥିଲା। ଯାହା ଫଳରେ ଅକ୍ଟୋବର ୩ ତାରିଖରେ ଆମର ୫ ଜଣ ଚାଷୀ ଭାଇଙ୍କ ଉପରେ ଲଖିମପୁର ଖେରିରେ ଗାଡ଼ି ମଡ଼ାଇ ଦିଆଗଲା। ଏହି ହୃଦୟ ବିଦାରକ ଘଟଣା ଆମ ଗଣତନ୍ତ୍ର ଉପରେ ଦୋଷ ଲଦି ଦେଇଛି। ଏଣୁ ଏହି ଘଟଣା ସହ ଜଡ଼ିତ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।

Share