ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ):ରାଜ୍ୟରେ ପୁଣି ଦେଖାଯାଇଛି କଳା କଲରାପତରିଆ ବାଘ। ଏଥର କିନ୍ତୁ ମା’ ସହ ଛୁଆକୁ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ କ୍ୟାମେରାରେ କଏଦ ହୋଇଛି ଏହି ଦୃଶ୍ୟ। ଏକ କଳା କଲରାପତରିଆ ବାଘୁଣୀ ସହିତ ତାର ଯାଆଁଳା ଛୁଆ ଜଙ୍ଗଲରେ ବୁଲୁଥିବାର ଦେଖାଯାଇଛି। ଯାଆଁଳା ଛୁଆ ମଧ୍ୟରୁ ଗୋଟିଏ କଳା କଲରାପତରିଆ ବାଘ ହୋଇଥିବା ବେଳେ ଅନ୍ୟଟି ସାଧାରଣ ରହିଛି। ଏ ନେଇ ପିସିସିଏଫ୍ ବନ୍ୟପ୍ରାଣୀ ସୁଶାନ୍ତ ନନ୍ଦ ସୋମବାର ସୋସିଆଲ ମିଡିଆ ’ଏକ୍ସ’ରେ ପୋଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାର ସୋନପୁର, ବଲାଙ୍ଗୀର, ଅନୁଗୋଳ ଓ କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲରେ ଏହି କଳା ରଙ୍ଗର ବାଘ ରହିଥିବା ଜଣାପଡ଼ିଛି। ପୂର୍ବରୁ ୮ଟି ରାଜ୍ୟ ଯଥା କର୍ନାଟକ, କେରଳ, ଗୋଆ, ମହାରାଷ୍ଟ୍ର, ତାମିଲନାଡୁ ହିମାଚଳପ୍ରଦେଶ, ଆସାମ ଓ ଛତିଶଗଡ଼ରେ ବିରଳ କଳାବାଘ ଦେଖିବାକୁ ମିଳିଥିଲା। ଏହା ପରେ ନବମ ରାଜ୍ୟ ଭାବେ ଓଡ଼ିଶା ଜଙ୍ଗଲରେ ପ୍ରଥମ କରି ବିରଳ କଳାବାଘ ଦେଖାଯାଇଥିଲା। ବାଘ କଳା ହେବା ଦ୍ୱାରା ଏହାର ବଂଶ ବୃଦ୍ଧି ହେବ ତା’ର କୌଣସି ନିର୍ଦ୍ଦିିଷ୍ଟ ପ୍ରମାଣ ନାହିଁ। କିନ୍ତୁ ବାଘର ରଙ୍ଗ କଳା ହେଲେ ପରିବେଶରେ ତିଷ୍ଠି ରହିବା ତା’ ପାଇଁ ସମସ୍ୟା ହୋଇଯାଏ।