ନୂଆଦିଲ୍ଲୀ, ୧୩।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି ଫଙ୍ଗସ୍ ଆଖି, ସାଇନସସ୍, ମସ୍ତିଷ୍କ, ଫୁସ୍ଫୁସ୍କୁ ସଂକ୍ରମଣ କରି ନଷ୍ଟ କରିଦେବା ସହ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ମ୍ୟୁକୋର୍ମାଇକୋସିସ୍ ଚିକିତ୍ସା ନିମନ୍ତେ ଆଣ୍ଟିଫୁଙ୍ଗାଲ୍ ଔଷଧ ଉତ୍ପାଦନ ବଢ଼ାଇବା ଲାଗି ସରକାର ବିଭିନ୍ନ ଡ୍ରଗ୍ ପ୍ରସ୍ତୁତକାରୀ କମ୍ପାନୀ ସହ ଆଲୋଚନା ଚଳାଇଥିବା ରସାୟନ ଓ ସାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶେଷକରି କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କଠାରେ ଏଭଳି ବିରଳ ସଂକ୍ରମଣ ଦେଖାଯାଉଛି। ଏହାର ଚିକିତ୍ସା ପାଇଁ ଡାକ୍ତରମାନେ ଆମ୍ଫୋଟେରିସିନ୍ ବି ନାମକ ଔଷଧ ଲେଖିଥିବାରୁ ଏହାର ଚାହିଦା ବଢ଼ିଯାଇଛି। ଚାହିଦା ପୂରଣ ପାଇଁ ଘରୋଇ ଉତ୍ପାଦନ ବଢ଼ା ନ ଗଲେ ବିଦେଶରୁ ଆମଦାନି କରିବାକୁ ପଡ଼ିବ। କମ୍ପାନୀଗୁଡ଼ିକ ପାଖରେ ଥିବା ଗଚ୍ଛିତ ଔଷଧର ସମୀକ୍ଷା କରିବା ପରେ ଫାର୍ମା ବିଭାଗ ମଙ୍ଗଳବାର ଏହାକୁ ବିଭିନ୍ନ ରାଜ୍ୟକୁ ଆବଶ୍ୟକତା ଅନୁଯାୟୀ ଆବଣ୍ଟନ କରିଥିଲା।