Advertisement

ଗୁଣିଗାରେଡ଼ି ସନ୍ଦେହ: ମୃତ ବ୍ୟକ୍ତିଙ୍କ ଜୁଇରେ ଅନ୍ୟଜଣଙ୍କୁ ମାରି ଜାଳିଦେଲେ

କୋରାପୁଟ/ନାରାୟଣପାଟଣା,୯ା୧୨(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ୫ଜଣ ମାରିଦେଇ ଅନ୍ୟଜଣେ ମୃତ ବ୍ୟକ୍ତି ପୋଡାଯାଉଥିବା ଯୁଇରେ ପକାଇ ଜାଳି ଦେଇଛନ୍ତି। ଏ ନେଇ ବନ୍ଧୁଗାଁ ଥାନାରେ ନଂ. ୧୧୨/୨୪ରେ ମାମଲା ରୁଜୁ ହୋଇଛି। ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।

ସୂଚନାଯୋଗ୍ୟ, କୋରାପୁଟ ଜିଲା ବନ୍ଧୁଗାଁ ଥାନା ଜାର୍ପା ଗାଁ’ର ଦସ ମୀନ୍ୟାକା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ରବିବାର ଅପରାହ୍ନରେ ତାଙ୍କର ମତ୍ୟୁ ହୋଇଥିଲା। ପ୍ରଥମେ ଦସଙ୍କ ଭାଇ ଜଙ୍ଗାମାଙ୍କର ମୃତ୍ୟୁ ଘଟିଥିବା ଆଖପାଖ ପ୍ରଚାରିତ ହୋଇଥିଲା। ଘଟଣାରେ କେହି ମୁଁହ ଖୋଲୁନଥିବାରୁ ଏହା ଠିକ୍‌ ଭାବେ ଜଣାପଡି ନ ଥିଲା। ବନ୍ଧୁଗାଁ ପୋଲିସ ତନାଘନା କରିବାପରେ ପ୍ରକୃତ ସତ୍ୟ ପଦାକୁ ଆସିଛି।

ଜାର୍ପା ଗାଁ’ର ଶିବ ମିନ୍ୟାକାଙ୍କ ସହ ଦସ ମିନ୍ୟକା ଏବଂ ତାଙ୍କ ସମ୍ପର୍କୀୟ ଭାଇଙ୍କର ପୂର୍ବ ଶତ୍ରୁତା ଲାଗି ରହିଥିଲା। ବିଭିନ୍ନ ସମୟରେ ଶିବ ମିନ୍ୟାକା ଦସ ଓ ତାଙ୍କ ସମ୍ପର୍କୀୟ ଭାଇମାନଙ୍କୁ ଗୁଣି ଗାରେଡ଼ି କରି ଜୀବନରେ ମାରି ଦେବାକୁ ଧମକ ଦେଉଥିଲେ। ହଠାତ୍‌ ଦସଙ୍କର ରବିବାର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ମୃତଦେହ ଦାହ ହେଉଥିବା ସ୍ଥାନକୁ ଶିବ ଯାଇଥିବା ବେଳେ ଦସଙ୍କ ପରିବାର ଏବଂ ସମ୍ପର୍କୀୟ ୫ଜଣ ତାଙ୍କୁ ଗୁଣି ସନ୍ଦେହରେ କାଠଫାଳିଆରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଶିବଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଚପାଇ ଦେବାପାଇଁ ଶିବଙ୍କ ମୃତଦେହ ଦସଙ୍କ ଜୁଇରେ ରଖି ଜାଳିଦେଇଥିଲେ। ପରେ ଗାଁ ଓ ସମ୍ପର୍କୀୟମାନଙ୍କୁ ଘଟଣା ବିଷୟରେ କାହାରିକୁ କିଛି ନ କହିବାକୁ ତାଗିଦ କରିଥିଲେ।

ଯେଉଁଥିପାଇଁ ଶିବଙ୍କ ପରିବାର ଲୋକେ ଭୟରେ ପୋଲିସରେ ଅଭିଯୋଗ କରି ନ ଥିଲେ। ସୋମବାର ସକାଳେ ଘଟଣା ପ୍ରଚାରିତ ହୋଇଥିଲା। ପରେ ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଓ ସାଇଣ୍ଟିଫିକ୍‌ ଟିମ୍‌, କୋରାପୁଟ ଅତିରିକ୍ତ ଏସ୍‌ପି ମନୋବ୍ରତା ଶତପଥୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବାରୁ ଗୁଣିଗାରେଡ଼ି ସନ୍ଦେହରେ ଶିବଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ବୀକାର କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share