୬ ବର୍ଷ ପରେ ପୁଣି ଦେଖାଗଲା ବ୍ଲାକ୍‌ ପାନ୍ଥର

ଭୁବନେଶ୍ୱର, ୧୪।୩(ଅସମାପିକା ସାହୁ)ଓଡ଼ିଶାରେ ପୁଣି ଦେଖିବାକୁ ମିଳିଛି ବ୍ଲାକ ପାନ୍ଥର ବା କଳା କଲରାପତରିଆ ବାଘ। ସୁନ୍ଦରଗଡ଼ ହେମଗିରି ବନାଞ୍ଚଳରେ ଏହି ବିରଳ ବାଘ ରହିଥିବା ନେଇ ପିସିସିଏଫ୍‌(ଓ୍ବାଇଲ୍ଡଲାଇଫ) ସୁଶାନ୍ତ ନନ୍ଦ ନିଜ ସୋସିଆଲ ମିଡିଆ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ୨୦୧୮ରେ ସୁନ୍ଦରଗଡ଼ ଜଙ୍ଗଲରେ ପ୍ରଥମଥର ଏହି ବାଘ ଦେଖାଯାଇଥିଲା। ପୂର୍ବଥର ପରି ଏଥର ବି କଳା ବାଘର ଫଟୋଚିତ୍ର କ୍ୟାମେରାରେ କଏଦ ହୋଇଥିବା ପିସିସିଏଫ୍‌ କହିଛନ୍ତି। ପୂର୍ବରୁ ଶିମିଳିପାଳ ଓ ଫୁଲବାଣୀରେ ମଧ୍ୟ ଏହି ପ୍ରଜାତିର ବାଘ ଦେଖାଯାଉଥିବା କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏନେଇ କୌଣସି ପ୍ରମାଣ ନ ଥିଲା। କିନ୍ତୁ କ୍ୟାମେରାରେ ବାରମ୍ବାର ଏହି ପ୍ରଜାତିର ବାଘ ସାମ୍ନାକୁ ଆସିବା ପରେ ଓଡ଼ିଶାରେ ବ୍ଲାକ ପାନ୍ଥର ଥିବା ନେଇ ସ୍ପଷ୍ଟ ହୋଇଛି। ରାଜ୍ୟର ୩ଟି ବନଖଣ୍ଡ ଅଞ୍ଚଳରେ କଳା କଲରାପତରିଆ ବାଘ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ବିଭିନ୍ନ ସମୟରେ କଳାବାଘର ଉପସ୍ଥିତିକୁ ନେଇ ସମ୍ପୂର୍ଣ୍ଣ ଭାବରେ ତଥ୍ୟ ରହିଛି। ତେବେ କଲରାପତରିଆ ପ୍ରଜାତିର ଏହି ବିରଳ ବାଘ ସମ୍ପୂର୍ଣ୍ଣ କଳା ରଙ୍ଗର ହୋଇଥିବାରୁ ଏହାକୁ ବ୍ଲାକ ପାନ୍ଥର ବୋଲି କୁହାଯାଉଛି। ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ ଏପରି ବ୍ଲାକ ପାନ୍ଥର ଥିବା ଜଣାପଡିଛି। ତେବେ କଳା ମହାବଳ ପରେ ଏବେ କଳା କଲରାପତରିଆ ବାଘ ଦେଖାଯିବା ଘଟଣାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଶେଷକରି ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ହ୍ରାସ ପାଉଥିବାବେଳେ କଳା କଲରାପତରିଆ ବାଘଙ୍କ ଉପସ୍ଥିତିକୁ ନେଇ ନାନା ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ, କଲରାପତରିଆ ଗଣନା ରିପୋର୍ଟ-୨୦୨୨ ଅନୁସାରେ ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ହ୍ରାସ ପାଇଛି। ୪ବର୍ଷରେ ୧୯୨ଟି କଲରପତରିଆ ବାଘ କମିଥିବା ଜଣାପଡ଼ିଛି। ୨୦୧୮ ମସିହାରେ କଲରାପତରିଆ ଗଣନା ବେଳେ ରାଜ୍ୟରେ ୭୬୦ଟି କଲରାପତରିଆ ବାଘ ଥିବା ବେଳେ ବର୍ତ୍ତମାନ ରାଜ୍ୟରେ ୫୬୮ଟି ରହିଛନ୍ତି। ତେବେ ରାଜ୍ୟରେ ଏତେ ସଂଖ୍ୟକ କଲରାପତରିଆ ବାଘଙ୍କ ସଂଖ୍ୟା କମିଥିବାକୁ ରାଜ୍ୟ ସରକାର ଗ୍ରହଣ କରି ନ ଥିଲେ। ତେଣୁ ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା କରିବେ। ମେ’ରୁ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରାଯିବ। ରାଜ୍ୟର ସବୁ ଅଞ୍ଚଳରେ କଲରାପତରିଆ ବାଘ ଗଣନା ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

Share