କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ କାଁ ଭାଁ ହେଉଥିବା ନଜିର ରହିଛି । ହେଲେ ଏହି ଅଞ୍ଚଳ ବିଶେଷ କରି ଦକ୍ଷିଣ ଓଡିଶା ତଥା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ଶ୍ରୀକାକୁଲମ, ବିଜୟନଗରମ ଜିଲାରେ ଚାଷ କରାଯାଇଥାଏ। ତେବେ ଗଜପତି ଜିଲା ଗୋଷାଣି ବ୍ଲକ ଅଗରଖଣ୍ଡିର ଚାଷୀ ଡି. ଖଗେଶ୍ବର ରାଓ ଏହି କଳା ଧାନ ଚାଷ କରିଛନ୍ତି। ଚଳିତ ବର୍ଷ ପ୍ରଥମ କରି ସେ ଏହି ଚାଷ କରୁଥିବା କହିଛନ୍ତି। ଏହି ଚାଷକୁ ନେଇ ସେ ବହୁ ପୂର୍ବରୁ ଚିନ୍ତା କରିଥିଲେ ମଧ୍ୟ ତେଲେଙ୍ଗାନା ରାଜ୍ୟ ଗସ୍ତ କରିଥିବା ବେଳେ ଏହି ମୂଲ୍ୟବାନ କଳା ଧାନ ଚାଷ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବାକୁ ପାଇଥିଲେ । ଏହା ପରେ ସେ କର୍ଣ୍ଣାଟକର ବାଙ୍ଗାଲୁରୁରୁ କଳା ଧାନ ବିହନ କ୍ରୟ କରିଥିଲେ। କଳା ଧାନ ରାଜ୍ୟରେ ୬ କିସମର ଥିବା ବେଳେ ୨ଟି କିସମର କଳା ଧାନ ବିହନ ନିଜ ଜମିରେ ପ୍ରଥମ ଥର ପାଇଁ ଅମଳ କରୁଥିବା ପ୍ରକାଶ କରିଛନ୍ତି, ଯାହାକି ଗୋଟିଏ କିସମ କଳାଧାନ ୧୫୦ରୁ ୧୬୦ ଦିନ ଏବଂ ଅନ୍ୟଟି ୧୨୦ରୁ ୧୩୦ ଦିନ ମଧ୍ୟରେ ଅମଳ ହୋଇଥାଏ।

ଏହାର ବଜାର ମୂଲ୍ୟ କିଲୋ ପ୍ରତି ୧୦୦ରୁ ଊର୍ଦ୍ଧ୍ୱ ରହିଥିବା ବେଳେ କୁଇଣ୍ଟାଲ ପିଛା ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଗଛରେ କେଣ୍ଡା ବାହାରିବାର ୧୫୦ ଦିନ ଅବଧି ପରେ ଧାନ ଅମଳ କରାଯାଏ। କଳା ଚାଉଳ ତଥା କାଲାବତୀ ଖରିଫ ଋତୁରେ ପ୍ରାୟତଃ ବର୍ଷକୁ ଥରେ ଚାଷ କରାଯାଇଥାଏ। ହେଲେ କାଲାବତୀ ବିଭିନ୍ନ କିସମର ଥିବା ଏବଂ ଅବଧି କମ ହୋଇଥିବାରୁ ବର୍ଷରେ ଦୁଇ ଥର ଚାଷ କରାଯାଇପାରେ। ଏହା ସାଧାରଣତଃ ଶ୍ରୀ ପ୍ରଣାଳୀ କିମ୍ବା ରୁଆ ଦ୍ବାରା ହେଇଥାଏ। ଏକର ପିଛା ୨୦ ରୁ ୨୫ କିଲୋଗ୍ରାମ ମଞ୍ଜି ଆବଶ୍ୟକ ପଡୁଥିବାର ଜଣାପଡିଛି। ଏହା ଅତ୍ୟନ୍ତ ଲାଭଦାୟକ ଫସଲ। ଯଦିଓ ଏହାର ଅମଳ ତୁଳନାତ୍ମକ ଭାବେ ବହୁତ କମ । ପ୍ରତି ଏକରରେ ୧୫ ରୁ ୨୦ କ୍ବିଣ୍ଟାଲ ଧାନ ଅମଳ ହୋଇଥାଏ। ଏହାର ବିହନ ଏବଂ ଚାଉଳର ମୂଲ୍ୟ ସମଗ୍ର ଭାରତର ଖୁଚୁରା ବଜାରରେ ଅତି କମରେ କିଲୋ ପିଛା ୧୦୦ ଟଙ୍କାରୁ ଅଧିକ ବିକ୍ରି ହୁଏ, ଯାହା ଭାରତରେ ଉତ୍ପାଦିତ ସମସ୍ତ ଚାଉଳ ମଧ୍ୟରେ ସର୍ବାଧିକ । ଏହା ସହ ଏହି କଳା ଚାଉଳରେ ପ୍ରୋଟିନ, ଆଇରନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବାରୁ ଓ ଏହାକୁ ମଧୁମେୟ ରୋଗୀ ଓ କିଡନୀ, ହୃଦରୋଗ, କର୍କଟ ରୋଗୀ ଖାଇପାରୁଥିବା ହେତୁ ଏହା ସମଗ୍ର ଭାରତରେ ବେଶ ଚାହିଦା ରହିଛି । ଏହାର ପତ୍ର ବାଇଗଣୀ ରଙ୍ଗ ଯୋଗୁଁ କୀଟପତଙ୍ଗ ଆଦି କମ ଆକର୍ଷିତ ହୁଅନ୍ତି, ଯଦ୍ବାରା କୀଟପତଙ୍ଗ ଖାଇବାର ସମ୍ଭାବନା କମ ରହିଛି। ଅଗରଖଣ୍ଡି ଗ୍ରାମର ଏହି ଚାଷୀ ଜଣକ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ ଅମଳ କରିଥିବା କହିଛନ୍ତି । ଏହା ସହ ସୁଗାର ଫ୍ରି’ ଚାଉଳ ମଧ୍ୟ ଏହି ଅଞ୍ଚଳରେ ସେ ଚାଷ କରୁଥିବାର କହିଛନ୍ତି। ସୁଗାର ଫ୍ରି’ ଚାଉଳ ବିଶେଷ କରି ମଧୁମେହ ରୋଗୀଙ୍କ ଲାଗି ସମ୍ପୂର୍ଣ୍ଣ ଆହାର ହୋଇଥାଏ। ତେବେ ଏସବୁ ଧାନର ବିକ୍ରୟ ପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ନଥିବାରୁ ଆନ୍ଧ୍ରର ବଜାର ତଥା ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଥିବା ପ୍ରକାଶ କରିଛନ୍ତି ।

ଆମ ରାଜ୍ୟରେ କଳା ଧାନ କି ସୁଗାର ଫ୍ରି’ ଚାଉଳ ଧାନ ପ୍ରତି ବିଭାଗୀୟ ଯତ୍ନବାନ ହୋଇପାରି ନ ଥିବାରୁ ସଚେତନତା ହୋଇପାରୁ ନାହିଁ। ଫଳରେ ଚାଷୀ ଏପରି ଲାଭଜନକ ଧାନ ଚାଷରୁ ବଞ୍ଚିତ ହେଉଛନ୍ତି। ଚାଷୀ ଡି. ଖଗେଶ୍ବର ରାଓ କହିଛନ୍ତି ଯେ, କଳା ଧାନ କି ସୁଗାର ଫ୍ରି’ ଧାନ ଅମଳ ପରେ ଆନ୍ଧ୍ରର ଧାନ ବ୍ୟବସାୟୀଙ୍କ ହାତରେ ବିକ୍ରି କରିଦେବେ । ଏହି କଳାବତୀ ଏବଂ ସୁଗାର ଫ୍ରି’ ଧାନ ଲାଗି ଆନ୍ଧ୍ରର ବ୍ୟବସାୟୀ ଅଗ୍ରିମ ଯୋଗାଯୋଗ କରିଛନ୍ତି । ଅମଳ ପରେ ବଜାର ମୂଲ୍ୟ ଅନୁଯାୟୀ ଏହି ଧାନ ନେଇଯିବେ। ଏକର ପିଛା ୨୦ ବସ୍ତା ଅମଳ ହେବ। ଏପରି ଭାବେ ମୋଟ ଦୁଇ ଏକରରେ ୪୦ବସ୍ତା ଏବଂ ଏହାର ଆନୁମାନିକ ଅତି କମରେ ୪୦ ହଜାର ଟଙ୍କାରେ ବିକ୍ରୟ କରିବେ ବୋଲି କହିଛନ୍ତି। ଏହାର ବିହନ ବାବଦରେ ୪ ରୁ ୫ ହଜାର ଟଙ୍କା ବିନିଯୋଗ କରିଥିବା ପ୍ରକାଶ କରିଛନ୍ତି । ଉଲ୍ଲେଖନୀୟ କଥା ହେଲା ଯେ, ସାଧାରଣ ଧାନ ଚାଷରେ ଯେଉଁ ପରିମାଣରେ ଜଳସେଚନ କରିବାକୁ ପଡିଥାଏ ଏହି କଳା ଧାନ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ସେହି ପରିମାଣର ଜଳସେଚନର ଆବଶ୍ୟକ ପଡିଥାଏ। ହେଲେ ଚଳିତ ବର୍ଷ ଅଭାବୀ ବର୍ଷା ଯୋଗୁଁ ନାଳ ନଦୀ ଶୁଖିଯିବାରୁ ନିଜସ୍ବ ଉଦମ୍ୟରେ ଜଳସେଚନ ପାଇଁ ବ୍ୟବସ୍ଥା କରି ଅଧିକ ଖର୍ଚ୍ଚାନ୍ତ ହୋଇଛନ୍ତି। ଏଥିପ୍ରତି ବିଭାଗ ସହଯୋଗ କଲେ ଚାଷୀମାନେ ଆକୃଷ୍ଟ ହୋଇ ଲାଭାନ୍ବିତ ହୋଇପାରନ୍ତେ ବୋଲି ମତ ରଖିଛନ୍ତି ।

Share