ବ୍ଲାକ୍‌ ସ୍ବାନ୍‌ ଅଡିଶନ: ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଶାର ଶ୍ରେୟା

ଭୁବନେଶ୍ୱର, ୧୧।୭ (ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଶ୍ରେୟା ଲେଙ୍କା। ଝାରସୁଗୁଡ଼ାର ୧୭ ବର୍ଷୀୟା ଶ୍ରେୟା ଦକ୍ଷିଣ କୋରିଆରେ ଥିବା କେ-ପପ୍‌ ଗର୍ଲ ଗ୍ରୁପ୍‌ ‘ବ୍ଲାକ୍‌ ସ୍ବାନ୍‌’ରେ ସାମିଲ ହେବା ପାଇଁ ୨୩ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଫାଇନାଲରେ ଭାରତରୁ ଏକମାତ୍ର ଅଂଶଗ୍ରହଣକାରୀ ଭାବେ ସେ ମନୋନୀତ ହୋଇଛନ୍ତି। କେ-ପପ୍‌ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ଗ୍ରୁପ୍‌। ଏଥିରେ ବହୁ ଅନ୍ତର୍ଜାତୀୟ କଳାକାର ଅଛନ୍ତି। ଗତବର୍ଷ ଏହି ଗ୍ରୁପ୍‌ରୁ ଜଣେ କଳାକାର ଛାଡ଼ିବା ପରେ ସେହି ସ୍ଥାନ ପୂରଣ କରିବା ପାଇଁ ଅଡିଶନ ହୋଇଥିଲା। ଲକ୍‌ଡାଉନ୍‌ ସମୟରେ ଏହି ଅଡିଶନ ଅନ୍‌ଲାଇନ୍‌ରେ ହେଉଥିବା ଶ୍ରେୟା ଜାଣିବା ପରେ ଏଥିରେ ଅଂଶଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ ଏବଂ ଯୋଗ ମଧ୍ୟ କରିଥାନ୍ତି। ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ନୃତ୍ୟରେ ନିପୁଣା। ଅଡିଶନ ପାଇଁ ସେ ଏଡିଟ୍‌ ହୋଇନଥିବା ଏକ ନୃତ୍ୟ ଏବଂ ଏକ ଗୀତର ଭିଡିଓ ପଠାଇଥିଲେ। ଫାଇନାଲିଷ୍ଟ ଭାବେ ଶ୍ରେୟାଙ୍କ ନାମ ‘ବ୍ଲାକ୍‌ ସ୍ବାନ୍‌’ର ୟୁଟ୍ୟୁବ୍‌ ଚ୍ୟାନେଲରେ ଲାଇଭ୍‌ ଘୋଷଣା କରାଯାଇଥିଲା।

Share