ବାରିପଦା ଅଫିସ,୧।୫: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଳା ବାଘର ଶିକାର ଘଟଣାର ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଭୁବନେଶ୍ୱର ପିସିସିଏଫ୍ ସୁଶୀଲ କୁମାର ପୋପଲି ପ୍ରକାଶ କରିବା ସହ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨ ବାଘ ମଧ୍ୟରେ ଲଢ଼େଇ କାରଣରୁ କଳାବାଘର ମୃତ୍ୟୁ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନେଇ ସୋମବାର ତାଙ୍କ କାର୍ଯ୍ୟାଳୟରୁ ଡିସିଏଫ୍ ଯୁଗ୍ମ ଟାସ୍କଫୋର୍ସ ସହିତ ଘଟଣାସ୍ଥଳକୁ ଯାଇଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗେନାନୀ ସଦଳବଳ ତାଙ୍କ ସହିତ ଯାଇଛନ୍ତି । ତେବେ କଳାବାଘର ମୃତ୍ୟୁ ଘଟଣା ଜଣାପଡିବା ପରେ ବନ୍ୟଜନ୍ତୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।
ସୂଚନାଥାଉକି, ଗତ ୨ ସପ୍ତାହ ତଳେ ବିଭାଗ ପକ୍ଷରୁ ୪ଟି ହାତୀଦାନ୍ତ ଜବତ ସହିତ ଜଣେ ଶିକାରୀକୁ ଗିରଫ କରାଯାଇଥିଲା । ତେବେ ଘଟଣାରେ ଜଡ଼ିତ ଅନ୍ୟ ୩ ଶିକାରୀ ଅଦ୍ୟାବଧି ଫେରାର ରହିଛନ୍ତି । ବିଗତ ୪ବର୍ଷ ମଧ୍ୟରେ ୨୨ଟି ହାତୀର ଶିକାର ହୋଇଥିବା ବେଳେ ଶିକାରୀଙ୍କ କବ୍ଜାରେ ଶିମିଳିପାଳ ରହିଛି ବୋଲି ପ୍ରାଣୀ ପ୍ରେମୀମାନେ ପ୍ରକାଶ କରିଛନ୍ତି।