ଓଡ଼ିଶାରେ କଳାବାଘ ପରିବାର

ଭୁବନେଶ୍ୱର, ୮।୧(ଅସମାପିକା ସାହୁ): ଓଡ଼ିଶା ଜଙ୍ଗଲରେ ବାରମ୍ବାର କଳାବାଘ ଦେଖିବାକୁ ମିଳୁଛି। ଗତମାସ ଶିମିଳିପାଳରେ ଦୁଇଟି ବାଘ କ୍ୟାମେରା ଟ୍ରାପ୍‌ରେ ଠାବ କରାଯାଇଥିବା ବେଳେ ଏବେ ଆଉ ୪ଟି କଳାବାଘ ଏକାଥରକେ ବୁଲୁଥିବା ଦେଖାଯାଇଛି। ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବା ବନ ବିଭାଗ କ୍ୟାମେରାରେ କଏଦ ହୋଇଛି। ଏମାନେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି। କଳା ବାଘ ପରିବାରର ଏକ ଭିଡିଓକୁ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଭଳି ଦୃଶ୍ୟ ବିରଳରୁ ଅତି ବିରଳ ବୋଲି ପିସିସିଏଫ୍‌ ଲେଖିଛନ୍ତି। ଭିଡିଓରୁ ୪ଟି ଯାକ ମହାବଳ ବାଘ ବୋଲି ଜଣାପଡ଼ୁଛି। ଏମାନଙ୍କୁ ସିଡୋ ମେଲାନିଷ୍ଟିକ ଟାଇଗର ଭାବେ ବିବେଚନା କରାଯାଉଥିବାବେଳେ ଏହି ଭିଡିଓଟି ଶିମଳିପାଳର ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ରାଜ୍ୟରେ ବାଘ ଗଣନା ଚାଲୁଥିବା ବେଳେ ଗତବର୍ଷ ନଭେମ୍ବର ୨୯ରେ କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଏକ କଳା କଲରାପତରିଆ ବାଘ ଦେଖାଯାଇଥିଲା। ଏହାପରେ ଡିସେମ୍ବର ୨ରେ ୨ଟି କଳାବାଘ ଦେଖାଯାଇଥିଲା। ତେବେ ସେହି ଦୁଇଟିଯାକ ମହାବଳ ବାଘ ବୋଲି ଫଟୋରୁ ସ୍ପଷ୍ଟ ହୋଇଥିବାବେଳେ ସେହି ସ୍ଥାନ ଶିମିଳିପାଳର ବୋଲି ଅନୁମାନ କରାଯାଇଥିଲା। ଅପରପକ୍ଷେ ବାରମ୍ବାର ଏହି କଳା ବାଘ ଦେଖାଯିବା ଭଲ ଖବର ନୁହେଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି। ସେମାନଙ୍କ ମତରେ କଳାବାଘ ଦେଖାଯିବା ପ୍ରକୃତି ପାଇଁ ଶୁଭଙ୍କର ନୁହେଁ। ପ୍ରାକୃତିକ ବାଘ (ରୟାଲ ବେଙ୍ଗଲ ଟାଇଗର) ସଂଖ୍ୟା ପାଇଁ ଏହା ଏକ ଓ୍ବାର୍ନିଂ। କାରଣ ଏମାନଙ୍କ ସଂଖ୍ୟା ବୋଧ ହୁଏ କମିବାରେ ଲାଗିଛି। ତେଣୁ କଳାବାଘ ବାରମ୍ବାର ଦେଖାଯାଉଛନ୍ତି। ସେଥିପାଇଁ ବିଭାଗ ଏ ଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

Share