Categories: ଜାତୀୟ

ଆତଙ୍କବାଦୀଙ୍କ ପାଇଁ କଳା ପାଣି: ଜମ୍ମୁ-କଶ୍ମୀରର କଡା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ…

ଶ୍ରୀନଗର,୧୪।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜିରୋ ଆତଙ୍କ ନୀତି ଅନୁଯାୟୀ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ ନିର୍ମାଣ କରାଯାଉଛି। ଏହି ଜେଲରେ କେବଳ ଆତଙ୍କବାଦୀଙ୍କୁ ରଖାଯିବ। ଏହି ଜେଲରେ ୬୦୦ଆତଙ୍କବାଦୀ ରହିବାର କ୍ଷମତା ରହିଛି। ଜମ୍ମୁ-କଶ୍ମୀରର କଠୁଆ ଜିଲାର ମହାନପୁରରେ ଅବସ୍ଥିତ ଡାମ୍ବରା ଅଞ୍ଚଳରେ ୧୦୫ କୋଟି ଟଙ୍କା ବ୍ୟୟରେ ଏହି ଜେଲ ନିର୍ମାଣ କରାଯାଉଛି। ଏହି ଜେଲ ଆତଙ୍କବାଦୀଙ୍କ ପାଇଁ କଳା ପାଣିଠାରୁ କମ ହେବ ନାହିଁ ବୋଲି କୁହାଯାଉଛି।

କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଏହି ଜେଲ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜମ୍ମୁ- କଶ୍ମୀରରେ ୧୦୫ କୋଟି ଟଙ୍କା ବ୍ୟୟରେ ଏଭଳି ଜେଲ ନିର୍ମାଣ କରାଯାଉଛି। ଯେଉଁଠାରେ କେବଳ ଆତଙ୍କବାଦୀଙ୍କୁ ରଖାଯିବ। ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ ଉପରେ ହୋଇଥିବା ଆଲୋଚନାର ଜବାବ ଦେବାବେଳେ ଶାହା ଏସବୁ କହିଛନ୍ତି। ଏହି ଜେଲ ନିର୍ମାଣାଧୀନ ଅଛି, ସେ କିଛି ଦିନ ପୂର୍ବରୁ ଏହି ଜେଲ ପରିଦର୍ଶନ କରିବାକୁ ଯାଇଥିଲେ। ଏଥିସହ ସେ କହିଛନ୍ତି ଯେ ଏହି ଜେଲର ସୁରକ୍ଷା ବଳୟ ଭାଙ୍ଗି ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ।

ଶାହା ରାଜ୍ୟସଭାରେ କହିଛନ୍ତି ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ପାଣ୍ଠିର ଇକୋସିଷ୍ଟମକୁ ଶେଷ କରିବା ଉପରେ କେନ୍ଦ୍ର ସରକାରଙ୍କ ଧ୍ୟାନ କେନ୍ଦ୍ରିତ ହୋଇଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଘଟଣାର ମୂଳୋତ୍ପାଟନ କରିବା ପାଇଁ ୩ ବର୍ଷର ଯୋଜନା ପ୍ରସ୍ତୁତ କରାଯାଇଛି, ଯାହା ୨୦୨୬ ସୁଦ୍ଧା ସଫଳତାର ସହ ଶେଷ ହେବ।

 

Share