ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ବ୍ଲାକ୍‌ମେଲ

ପାରଳାଖେମୁଣ୍ଡି,୧୭।୭: ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଯୁବତୀଙ୍କ ଏତଲାକ୍ରମେ ଅଡ଼ବା ପୋଲିସ ଏକ ମାମଲା(ନଂ. ୧୬/୨୧) ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଜଣକ ଫେରାର୍‌ ଅଛନ୍ତି। ଅଭିଯୁକ୍ତ ଜଣକ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବାରମ୍ବାର ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ମେ ୧୧ ତାରିଖରେ ଅଭିଯୁକ୍ତ ଜଣକ ନିଜ ୪ ଭାଇଙ୍କ ସହାୟତାରେ ଗ୍ରାମ ନିକଟରେ ଜଙ୍ଗଲକୁ ଯୁବତୀଙ୍କୁ ଟେକି ନେଇଥିଲେ। ସେଠାରେ ଅଭିଯୁକ୍ତଙ୍କ ସହ ତାଙ୍କର ଭାଇମାନେ ଯୁବତୀଙ୍କୁ ଟଣାଓଟରା, ମାରପିଟ କରିଥିଲେ। ପରେ ଅଭିଯୁକ୍ତ ଜବରଦସ୍ତ ଯୁବତୀଙ୍କୁ ବଳାତ୍କାର କରିଥିଲେ। ଏହି ସମୟରେ ଅନ୍ୟ ଅଭିଯୁକ୍ତମାନେ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ। ପରେ ଯୁବତୀଙ୍କୁ ଉକ୍ତ ଭିଡିଓ ଦେଖାଇ ବ୍ଲାକମେଲ୍‌ କରି ଅଭିଯୁକ୍ତମାନେ ୧ ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ। ଏନେଇ ଯୁବତୀ ଜଣକ ପୋଲିସକୁ ଜଣାଇଥିଲେ। ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରାଇଛି।

Share