Categories: ଜାତୀୟ

କେନ୍ଦ୍ରୀୟ ଏସିଆରେ ବ୍ଲାକଆଉଟ୍‌

ନୂଆଦିଲ୍ଲୀ, ୨୬ା୧: କେନ୍ଦ୍ରୀୟ ଏସିଆର ୩ ଦେଶରେ ମଙ୍ଗଳବାର ବଡ଼ ଧରଣର ବ୍ଲାକଆଉଟ୍‌ ହୋଇଛି। ଏକ ପ୍ରମୁଖ ପାଓ୍ବାର ଲାଇନରେ ସମସ୍ୟା ଯୋଗୁ କାଜାଖସ୍ତାନ, ଉଜ୍‌ବେକିସ୍ତାନ ଏବଂ କିର୍ଗିଜସ୍ତାନର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବିଦ୍ୟୁତ୍‌ ସଂଯୋଗ ପାଇବାରୁ ବଞ୍ଚିତ ହୋଇଥିଲେ। କିର୍ଗିଜସ୍ତାନ ଏବଂ ଉଜ୍‌ବେକିସ୍ତାନ ରାଜଧାନୀ ସମେତ କାଜାଖସ୍ତାନର ଅର୍ଥନୈତିକ ହବ୍‌ କୁହାଯାଉଥିବା ଆଲମାଟି ସହରରେ ମଧ୍ୟାହ୍ନ ସମୟରେ ବ୍ଲାକ୍‌ଆଉଟ୍‌ ହୋଇଥିଲା।
ସୋଭିଏଟ୍‌ ସଂଘର ସଦସ୍ୟ ଥିବା ଏହି ୩ ଦେଶର ପାଓ୍ବାରଗ୍ରୀଡ୍‌ କାଜାଖସ୍ତାନ ଦ୍ୱାରା ପରସ୍ପର ସହ ସଂଯୁକ୍ତ। କାଜାଖସ୍ତାନ ଦେଇ ରୁଷିଆର ପାଓ୍ବାରଗ୍ରୀଡ୍‌କୁ ମଧ୍ୟ ଏହା ସଂଯୋଗ କରେ। ଫଳରେ ବିଦ୍ୟୁତ୍‌ ଅଭାବ ଦୂର କରିବାକୁ ଏହି ଦେଶଗୁଡ଼ିକୁ ସେଠାରୁ ବିଦ୍ୟୁତ୍‌ ଆଣିପାରିବେ। ବ୍ଲାକ୍‌ଆଉଟ ପରେ ଉଜବେକିସ୍ତାନର ଶକ୍ତି ମନ୍ତ୍ରୀ ଟେଲିଗ୍ରାମରେ ବିବୃତି ଜାରି କରି କହିଛନ୍ତି, କାଜାଖସ୍ତାନ ପାଓ୍ବାର ଗ୍ରୀଡ୍‌ରେ ଏକ ଦୁର୍ଘଟଣା ଯୋଗୁ ଏହି ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହୋଇଛି। ଫଳରେ ଜନବହୁଳ ଦକ୍ଷିଣ କାଜାଖସ୍ତାନର ଆଲ୍‌ମାଟି, ଶିମ୍‌କେଣ୍ଟ, ତାରସ୍‌, ତୁର୍କେସ୍ତାନ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଓ୍ବାର ଆଉଟେଜ୍‌ ହୋଇଛି। ୟୁନିଫାଏଡ୍‌ ପାଓ୍ବାର ଗ୍ରୀଡ୍‌କୁ ସଂଯୋଗ କରୁଥିବା ଉଜ୍‌ବେକ୍‌ ପାଓ୍ବାର ଗ୍ରୀଡ୍‌ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ କାଜାଖସ୍ତାନରୁ ୫୩୦ ଲାଇନ୍‌ରେ ଭୋଲ୍‌ଟେଜ ଏବଂ ଫ୍ରିକ୍ୱେନ୍ସିରେ ହଠାତ୍‌ ପରିବର୍ତ୍ତନ ଘଟିଛି। ରୁଷିଆ ନ୍ୟୁଜ୍‌ ଏଜନ୍ସି ଆର୍‌ଆଇଏ ନୋଭୋସ୍ତି ରିପୋର୍ଟ ଅନୁସାରେ, ତାଶକେଣ୍ଟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତାସ୍‌କେଣ୍ଟ ମେଟ୍ରୋ ମଧ୍ୟ ଏଥିଯୋଗୁ ପ୍ରଭାବିତ ହୋଇଛି। ସେହିପରି ବିଶ୍‌କେକ୍‌ର ଏୟାରପୋର୍ଟ ଏହାର ଦକ୍ଷତା ଠାରୁ କମ୍‌ ପରିବହନ କରୁଛି।

Share