ଗ୍ୟାଙ୍ଗଷ୍ଟର ବବୁଲ ଶ୍ରୀବାସ୍ତବ କରାଇଛନ୍ତି ହାଫିଜ ସଇଦଙ୍କ ଘର ସମ୍ମୁଖରେ ବିସ୍ଫୋରଣ: ପାକିସ୍ତାନର ଅଭିଯୋଗ…

ଇସଲାମାବାଦ,୧୪।୧୨ : ଆତଙ୍କବାଦ ପାଇଁ ସାରା ବିଶ୍ୱରେ କୁଖ୍ୟାତ ପାକିସ୍ତାନ ବର୍ତ୍ତମାନ ଭାରତ ବିରୋଧରେ ପ୍ରଚାର ଆରମ୍ଭ କରିଛି। ପାକିସ୍ତାନ ଅଭିଯୋଗ କରିଛି ଯେ ଆତଙ୍କବାଦୀ ହାଫିଜ ସଇଦଙ୍କ ଘର ବାହାରେ ବୋମା ବିସ୍ଫୋରଣ ପଛରେ ଭାରତୀୟ ଗ୍ୟାଙ୍ଗଷ୍ଟର ବବୁଲ ଶ୍ରୀବାସ୍ତବଙ୍କ ହାତ ରହିଛି।

ଗତ ବର୍ଷ ଜୁନରେ ସଇଦଙ୍କ ଜୋହରସ୍ଥିତ ଘର ବାହାରେ ଏକ ବିସ୍ଫୋରଣ ହୋଇଥିଲା। ଏଥିରେ ଦୁଇ ସୁରକ୍ଷା କର୍ମୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିଲେ। ଆକ୍ରମଣ ସମୟରେ ସଇଦ ଘରେ ଉପସ୍ଥିତ ନ ଥିଲେ। ପାକିସ୍ତାନ ଅଭିଯୋଗ କରିଛି ଯେ ଏହି ଆକ୍ରମଣ ଭାରତୀୟ ଗ୍ୟାଙ୍ଗଷ୍ଟର ବବୁଲ ଶ୍ରୀବାସ୍ତବଙ୍କ ନିର୍ଦ୍ଦେଶରେ ହୋଇଛି। ଏକ ଗଣମାଧ୍ୟମ ସମ୍ମିଳନୀରେ ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଖାନ ଏହି ଅଭିଯୋଗ କରିଛନ୍ତି।

ଏହି ଆକ୍ରମଣରେ ଭାରତର ସମ୍ପୃକ୍ତି ଥିବା ଆମର ପ୍ରମାଣ ଅଛି ବୋଲି ସନାଉଲ୍ଲା ଦାବି କରିଛନ୍ତି। ତେଣୁ ଆମେ ଏହି ସୂଚନା ଅନ୍ତର୍ଜାତୀୟ ସମୁଦାୟକୁ ଦେବୁ। ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଏହି ପ୍ରମାଣଗୁଡ଼ିକୁ ଅନ୍ତର୍ଜାତୀୟ ସମୁଦାୟଙ୍କ ସାମ୍ନାରେ ରଖିବ। ପ୍ରମାଣ ଆଧାରରେ ଏହି ଆକ୍ରମଣର ଅପରାଧୀଙ୍କୁ ଧରାଯାଇଛି। ସେ କହିଛନ୍ତି ଏହି ପ୍ରମାଣରୁ ଜଣାପଡିଛି ଯେ ସଇଦଙ୍କ ଘର ଉପରେ ଆକ୍ରମଣ ଷଡଯନ୍ତ୍ରରେ ଭାରତର ସମ୍ପୃକ୍ତି ଥିଲା।

 

Share